ଆରମ୍ଭ ହେଲା ମହାଯଜ୍ଞ

ଶ୍ରୀମନ୍ଦିର ରୋଷଶାଳାରୁ ଆସିଲା ଅଗ୍ନି

ଶ୍ରୀକ୍ଷେତ୍ର ହୋଇଛି ଉତ୍ସବମୁଖର ଓ ଶ୍ରୀଜଗନ୍ନାଥ ମନସ୍କ ହୋଇଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଏହି ଭବ୍ୟ ଆୟୋଜନକୁ ଚର୍ମଚକ୍ଷୁରେ ଦେଖିବା ପାଇଁ ଆରମ୍ଭ ହୋଇଛି ଭକ୍ତଙ୍କ ଭିଡ଼। ଲୋକାର୍ପଣ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପକୁ ପ୍ରଦକ୍ଷିଣ କରି ଅନୁଭବ କରୁଛନ୍ତି ଭବ୍ୟ ଆନନ୍ଦ। ଆଜି ବି ଏଥିପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଚୌହଦୀ ସହ ବଡ଼ଦାଣ୍ଡ ଓ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ଆଜି ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିଲା ମହାଯଜ୍ଞ ପର୍ବ। ପ୍ରଥମେ ଅଖଣ୍ଡ ଦୀପ ସ୍ଥାପନ ପରେ ପଞ୍ଚକର୍ମ ସହ ମହାଯଜ୍ଞ ପାଇଁ ଷୋହଳ ଶାସନର ୪୮ଜଣ ଆଚାର୍ଯ୍ୟଙ୍କୁ ବରଣ ବିଧି ସଂପନ୍ନ ହୋଇଥିଲା। ଅପରାହ୍ଣ ପ୍ରାୟ ୩ଟାରେ ଅଗ୍ନିସଂସ୍କାର ବିଧି ସଂପନ୍ନ ହୋଇଥିଲା। ଯଜ୍ଞବେଦିରେ ମୁଖ୍ୟ ଯଜ୍ଞକୁଣ୍ଡ ସହ ଯଜ୍ଞବେଦିର ଚାରିଦିଗରେ ଚାରିଟି ଯଜ୍ଞକୁଣ୍ଡ ନିର୍ମିତ ହୋଇଥିଲା। ଗଜପତି ମହାରାଜାଙ୍କ ଦ୍ବାରା ବରଣ ହୋଇଥିବା ବ୍ରାହ୍ମଣମାନେ ରୋଷଶାଳାରୁ ଅଗ୍ନି ଆଣି
ମୁଖ୍ୟ ଯଜ୍ଞକୁଣ୍ଡ ସହ ଅନ୍ୟ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରିଥିଲେ। ପରେ ଘୃତାହୁତି, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ ବିଧି ଅନୁଷ୍ଠିତ ହୋଇଥିଲା।ଏହି ସମୟରେ ଚାରିଦ୍ବାରରେ ବେଦପାଠୀଙ୍କ ବେଦପାଠ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ପ୍ରଦକ୍ଷିଣ ବେଳେ ନାମ ସଂକୀର୍ତ୍ତନ ଦଳ ବରଣୀୟ ବ୍ରାହ୍ମଣମାନଙ୍କୁ ପାଛୋଟି ନେଇଥିଲେ। ଦିନତମାମ ଆଜି ଶ୍ରୀମନ୍ଦିର ଚାରିପାଖରେ ବେଦପାଠ ସହ ନାମ ସଂକୀର୍ତ୍ତନ ଭକ୍ତିପୂତ ପରିବେଶ ସୃଷ୍ଟି କରିଥିଲା।