ଆଜିଠୁ ନଡ୍ଡାଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ବର : ବିଜେପି କୁ ରାଜ୍ୟରେ ଆହୁରି ଶକ୍ତ କରିବା ପାଇଁ ଆସୁଛନ୍ତି ଜେପି ନଡ୍ଡା ।  ଆଜିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା। ଅପରାହ୍‌ଣ ୪ଟାରେ ଶ୍ରୀ ନଡ୍ଡା ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟକୁ ସିଧାସଳଖ ଗସ୍ତ କରି‌ ସେଠାରେ କାର୍ଯ୍ୟକର୍ତ୍ତାମାନଙ୍କ ସହ ଆଲୋଚନା କରିବେ। ବରଗଡ଼ ଲୋକସଭା କ୍ଷେତ୍ରରେ ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଶ୍ରୀ ନଡ୍ଡା ବୁର୍ଲାସ୍ଥିତ ଏମସିଏଲ୍‌ ଗେଷ୍ଟ ହାଉସଠାରେ ରାତ୍ରୀଯାପନ କରିବେ ।୨୩ ତାରିଖରେ ଶ୍ରୀ ନଡ୍ଡା ବୁର୍ଲାରୁ ବାହାରି ଭବାନୀପାଟଣାଠାରେ ପହଞ୍ଚିବା ପରେ ମା’ମାଣିକେଶ୍ୱରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ। ଏହା ପରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତି ଅବସରରେ ଅନୁଷ୍ଠିତ ମହାଜନସମ୍ପର୍କ ସମାବେଶରେ ଯୋଗ ଦେବେ। ଏହା ପରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ।