ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ କି ମନୋଜ ଆହୁଜା?
ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ କି ମନୋଜ ଆହୁଜା? କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡର ଓଡିଶାକୁ ଫେରାଇଦେବା ପରେ ବଢିଛି ଚର୍ଚ୍ଚା । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ଓଡିଶା ଫେରାଇ ଆଣିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ । ଏହାକୁ କେନ୍ଦ୍ର ସରକାର ଗ୍ରହଣ କରିବା ପରେ ସେ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏବେ ମନୋଜ ଆହୁଜା କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାମ କରୁଛନ୍ତି ।ନୂଆ ସରକାର ଆସିବା ସହ ରାଜ୍ୟରେ ବ୍ୟୁରୋକ୍ରାସିର ଚେହେରା ବଦଳାଇବାକୁ ଚାହୁଁଛି ବିଜେପି ସରକାର। ଏଭଳି ସ୍ଥିତିରେ ମନୋଜ ଆହୁଜାଙ୍କ ପରି ଜଣେ ନିରପେକ୍ଷ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ବସାଇପାରନ୍ତି ରାଜ୍ୟ ସରକାର ।
ମନୋଜ ଆହୁଜା ଅନ୍ୟତମ ବରିଷ୍ଠ ଓଡିଶା ଆଇଏଏସ ଅଧିକାରୀ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ୧୯୮୯ ବ୍ୟାଚର ଆଇଏଏସ୍ । ତାଙ୍କର ଛଅ ମାସିଆ ବର୍ଦ୍ଧିତ କାର୍ଯ୍ୟକାଳ ଚଳିତ ମାସ ୩୦ତାରିଖରେ ଶେଷ ହେଉଛି । ମନୋଜ ଆହୁଜାଙ୍କ ସହ ନୀତିନ ଚନ୍ଦ୍ରା, ସଞ୍ଜୀବ ଚୋପ୍ରା, ଜି ଶ୍ରୀନିବାସ ତଥା ମନୋଜଙ୍କ ପତ୍ନୀ ଆରତି ଆହୁଜା ୧୯୯୦ ବ୍ୟାଚର ଆଇଏଏସ । ଆରତି ଅବସର ନେଇ ସାରିଥିବା ବେଳେ ଅନ୍ୟମାନେ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ମନୋଜ ଆହୁଜାଙ୍କୁ ବାଛିଛନ୍ତି ରାଜ୍ୟ ସରକାର ।