ପଞ୍ଚଭୂତରେ ଲୀନ ହେଲେ ଶହୀଦ ଯବାନ ପ୍ରତାପ ପରିଡ଼ା
ଗୋପ: ପଞ୍ଚଭୂତରେ ଲୀନ ହେଲେ ମେଘାଳୟ ତୁରାରେ ପ୍ରାଣ ହରାଇଥିବା ଶହୀଦ ଯବାନ ପ୍ରତାପ ପରିଡ଼ା। ପରିବାର ଲୋକ ଓ ଗ୍ରାମବାସୀଙ୍କ ସମେତ ଉପସ୍ଥିତ ଥିବା ହଜାର ହଜାର ବିଭିନ୍ନ ବର୍ଗର ବ୍ୟକ୍ତି ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶେଷଦର୍ଶନ କରିଥିଲେ। ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ପ୍ରତ୍ୟୁଶ ରଞ୍ଜନ ପରିଡ଼ା ମୁଖାଗ୍ନି ଦେଇଥିଲେ।ସୀମା ସୁରକ୍ଷା ବଳ(ବିଏସଏଫ) ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିବା ପୁରୀ ଜିଲା ଗୋପ ଥାନା ଅଧୀନ ମଲ୍ଲଗ୍ରାମର ପ୍ରତାପ ରଞ୍ଜନ ପରିଡ଼ା କେତେକ ବଂଲାଦେଶୀଙ୍କ ଆକ୍ରମଣରେ ଏକ କୂଅକୁ ଖସିପଡି ଗତ ୩ତାରିଖ ଦିନ ପ୍ରାଣ ହରାଇଥିଲେ। ଗତକାଲି ଯବାନଙ୍କ ପାର୍ଥିବ ଶରୀର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧା ବିଏସଏଫ କ୍ୟାମ୍ପରେ ରହିଥିଲା।ପିପିଲିଠାରୁ ବାହାରିଥିବା ଶୋଭାଯାତ୍ରା ହରିପୁର, ନିମାପଡା, ଗୋପ, ନାଗପୁରଠାରେ ପହଞ୍ଚିଥିବା ବେଳେ ସେ ପାଠ ପଢ଼ୁଥିବା ନାଗପୁର ଉଚ୍ଚ ବିଦ୍ୟାଳୟକୁ ଶୋଭାଯାତ୍ରା ଯାଇ ବଡ଼ତରା ପଞ୍ଚାୟତ ପରିକ୍ରମା କରି ଶେଷରେ ଜନ୍ମମାଟି ମଲ୍ଲଗ୍ରାମରେ ପହଞ୍ଚିଥିଲା।