ବିଜେଡିର ତୁଙ୍ଗ ନେତା ମତଦାତାଙ୍କ ମୁଡ୍‌ ପଢ଼ିନପାରି ବୟାନବାଜିରେ ବ୍ୟସ୍ତ ରହିଲେ

ନିର୍ବାଚନର ଚତୁର୍ଥ ପର୍ଯ୍ୟାୟର ଫଳାଫଳ ହିଁ ବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ଏହି ପର୍ଯ୍ୟାୟରେ ବିଜେପି ଗତ ନିର୍ବାଚନରେ ଯେଉଁ ୯ଟି ଆସନ ପାଇଥିଲା ଯଦି ‌େସତିକି ଆସନ ପାଇଥାନ୍ତା ତେବେ ବିରୋଧୀ ଦଳରେ ହିଁ ବସିଥାନ୍ତା। ଆଉ ବିଜେଡି ଯଦି ୪୨ରୁ ୪୦ଟି ଆସନ ଜିତିଥାନ୍ତା ତେବେ ସରକାର ଗଠନ କରିବାକୁ ସକ୍ଷମ ହୋଇଥାନ୍ତା। କିନ୍ତୁ ବିଜେଡିର ତୁଙ୍ଗ ନେତା ମତଦାତାଙ୍କ ମୁଡ୍‌ ପଢ଼ିନପାରି ବୟାନବାଜିରେ ବ୍ୟସ୍ତ ରହିଲେ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବିଜେଡି ନେତା ଭି.କେ ପାଣ୍ଡିଆନ ସବୁ ବୈଠକରେ କହି ବୁଲି‌ଲେ, ଏଥର ବିଜେଡି ତିନି ଚତୁର୍ଥାଂଶ ଆସନ ପାଇ ସରକାର ଗଠନ କରୁଛି। ୧୧୫ରୁ ଅଧିକ ଆସନ ଜିତୁଛି। ନିର୍ବାଚନ ଫଳାଫଳ ଦେଖିଲେ ଲାଗୁଛି ସାରା ରାଜ୍ୟରେ ବିଜେଡିର ପ୍ରଚାର ମଙ୍ଗ ଧରିଥିବା ପାଣ୍ଡିଆନ ନିର୍ବାଚନ ପ୍ରଚାର‌ ବେଳେ ଜନତାଙ୍କ ମୁଡ୍‌ ବୁଝିପାରିନଥି‌େଲ। କାରଣ ବିଜେଡିର ହାରିବା ଟ୍ରେଣ୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ହିଁ ଆରମ୍ଭ ହୋଇଯାଇଥିଲା। ସମସ୍ତେ ପରିବର୍ତ୍ତନ ମୁହାଁ ହୋଇଥିବା ନେଇ ବିଜେଡିର କୌଣସି ନେତା ଠଉରାଇ ପାରିନଥିଲେ। ଏହା ସେମାନଙ୍କ କଳ୍ପନାର ବାହାରେ ଥିଲା।ଗତ ନିର୍ବାଚନରେ ବିଜେଡି ଦକ୍ଷିଣ, ପଶ୍ଚିମ, ଉତ୍ତର, ଉପକୂଳ ଓଡ଼ିଶାରେ ସବୁଠି ଆଧିପାତ୍ୟ ଜାହିର୍ କରିଥିଲା। କିନ୍ତୁ ଏଥର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ (କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର,ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା‌ ଜିଲ୍ଲାରେ) ବିଜେଡି ଶୋଚନୀୟ ପରାଜୟ ବରଣ କରିଥିଲା। ବିଜେପି ଓ କଂଗ୍ରେସ ଗୋଡ଼ିଆଗୋଡ଼ି ହୋଇଥିଲେ ହେଁ ବିଜେଡି ପାରିନଥିଲା। ଏହି ପର୍ଯ୍ୟାୟରେ ମୋଟ୍ ୨୮ଟି ସିଟ୍‌ରୁ ବିଜେଡି ମାତ୍ର ୭ଟି ସିଟ୍ ପାଇଥିବା ବେଳେ ବିଜେପି ୧୨ଟି ଓ କଂଗ୍ରେସ ୯ଟି ହାତେଇ ନେଇଥିଲେ। ଯେତେବେଳେକି ଗତ ନିର୍ବାଚନରେ ବିଜେଡି ଏଠାରେ ୨୦ଟି, ବିଜେପି-୪, କଂଗ୍ରେସ-୩, ସ୍ବାଧୀନ-୧ ଆସନ ଜିତିଥିଲେ।