ଭୁବନେଶ୍ବର: ଆଇଏଏସ ଚାକିରିରୁ ଭି କେ ପାଣ୍ଡିଆନ ସ୍ବେଚ୍ଛାକୃତ ଅବସର ନେବା ଏବଂ ତାଙ୍କୁ ନୂଆ ଦାୟିତ୍ବ ମିଳିବା ପରେ ତାଙ୍କ କାମ ଓ ପ୍ରଶାସନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳର ନେତା । ଭି କେ ପାଣ୍ଡିଆନଙ୍କ ଦକ୍ଷତାସଂପନ୍ନ କାର୍ଯ୍ୟଧାରା ଓ ଜନସେବା ମନୋବୃତ୍ତିକୁ ଦେଖି ବିଜେଡି ସୁପ୍ରିମୋ ତାଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି । ଆଗକୁ ବିକଶିତ ଓଡ଼ିଶା ଗଠନ ସହ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଗୁରୁଦାୟିତ୍ବ ଦେଇଥିବା ବିଜେଡି ନେତାମାନେ କହିଛନ୍ତି । ଏବେ ଦଳରେ ପାଣ୍ଡିଆନଙ୍କୁ ନେଇ ଉତ୍ସାହ ଓ ଚର୍ଚ୍ଚା ଜୋର ଧରିଛି । ନୂଆ ଓଡ଼ିଶା ଓ ନବୀନ ଓଡ଼ିଶା ନିର୍ମାଣ କାର୍ଯ୍ୟରେ ପାଣ୍ଡିଆନଙ୍କ କାର୍ଯ୍ୟକୁ ନେତାମାନେ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବା ପାଇଁ ଗତ କିଛି ବର୍ଷ ଧରି ସେ ଦିନରାତି କାମ କରୁଛନ୍ତି । ଉପଜିଲ୍ଲାପାଳରୁ ଫାଇଭ-ଟି ସଚିବ ଯାଏ । ଭି କେ ପାଣ୍ଡିଆନ ସବୁଠି ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ନିଜ ଦାୟିତ୍ବ ଓ ଲୋକାଭିମୁଖି କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରପତିଙ୍କ ଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ କାମକୁ ଅନେକ ପୁରସ୍କାର ଓ ପ୍ରଶଂସା ମିଳିଛି । ପ୍ରଶାସନିକ ଚାକିରିରୁ ସ୍ବେଚ୍ଛାକୃତ ଅବସର ପରେ ମଙ୍ଗଳବାର ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ତାଙ୍କୁ ନେଇ ରାଜ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୨୦୦୭ ମସିହାରେ ଗଂଜାମର ଜିଲ୍ଲାପାଳ ଭାବେ ନିଜର ପ୍ରଶାସନିକ ଦକ୍ଷତା ଦେଖାଇବା ପରେ ୨୦୧୧ରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ କାମ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଁଟିଥିଲେ । ସେବେଠାରୁ ସେ ଆଉ ପଛକୁ ଫେରିନାହାଁନ୍ତି । ବିଜେଡି ସରକାରରେ ତାଙ୍କର ଅନେକ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବା ଦେଖାଯାଇଛି । ୨୦୧୯ରେ ଫାଇଭ-ଟି ସଚିବ ଭାବେ ନିଜର ଦାୟିତ୍ବ ତୁଲାଇବାଠାରୁ ତାଙ୍କ କାମ ହିଁ ତାଙ୍କର ପରିଚୟ ହୋଇଛି । ଲୋକସେବାକୁ ନିଜ କାମର ମୂଳମନ୍ତ୍ର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେ ପ୍ରିୟପାତ୍ର ହୋଇପାରିଛନ୍ତି । ଏବେ ସେ ରାଜନୀତିକୁ ଆସିନାହାନ୍ତି ଯଦି ଆସିବେ ଲୋକେ ତାଙ୍କୁ ସମ୍ମାନ ଭଲ ପାଇବା ଦେବେ ବୋଲି ବରିଷ୍ଠ ବିଜେଡି ନେତାମାନେ କହିଛନ୍ତି । ୨୦୧୯ରେ ନବୀନ ୫ଟି ଓ ମୋ ସରକାରଙ୍କ ସାମିଲ କଲେ । ଯାହାର ଗୁରୁଦାୟିତ୍ବ ଭି କେ ପାଣ୍ଡିଆନଙ୍କ ଉପରେ ନ୍ୟସ୍ତ କଲେ । ସେ ମଧ୍ୟ ତାଙ୍କର ଦାୟିତ୍ବ ସଠିକ ଭାବେ ପାଳନ କରିଥିଲେ । ଗତ ୬ମାସ ଧରି ୩୦ଟି ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା ପରେ ତାଙ୍କର ଲୋକପ୍ରିୟତା ବଢ଼ିଚାଲିଛି । ଲୋକେ ଅଭିଯୋଗ ଆଣିଲେ ଓ ତାହାର ସମାଧାନର ବାଟ ବାହର କରି ପ୍ରଶଂସା ପାଇଛନ୍ତି ପାଣ୍ଡିଆନ ।