ଆଜିଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆଜିଠୁ  ଜନତା ମଇଦାନଠାରେ ସପ୍ତଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେବ । ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର ଓ ବୁଣାକାରମାନେ ଅଂଶଗ୍ରହଣ କରିବେ ଏବଂ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ । ଏହି ହସ୍ତଶିଳ୍ପ ମେଳା ଦେଶର ବାର୍ଷିକ ଉତ୍ସବ କ୍ୟାଲେଣ୍ଡରରେ ନିଜର ସ୍ୱତନ୍ତ୍ର ସ୍ଥାନ ନିରୁପଣ କରିସାରିଛି । ଏହି ମେଳାର ଲକ୍ଷ୍ୟ ହେଉଛି, ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍‌ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରବା ।
ଏଥି ସହିତ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଏହି ମେଳା ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହେବ । ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ କରିବା ଏବଂ କାରିଗର ଓ ବୁଣାକାରମାନଙ୍କ ସାମଗ୍ରୀର ପ୍ରସ୍ତୁତି କୌଶଳ ତଥା ସୃଜନାତ୍ମକ ଜଟିଳତାକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଏହି ମେଳାର ଉଦ୍ଦେଶ୍ୟ । ଚଳିତ ବର୍ଷ ଏହି ମେଳାରେ ୫୬୦ ଜଣ କାରିଗର ଓ ବୁଣାକାର ଅଂଶଗ୍ରହଣ କରୁଛନ୍ତି ।