ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ

ରଜ କେବଳ ଗୋଟିଏ ପର୍ବ ନୁହିଁ । ବରଂ ଗୋଟିଏ ଜାତିର ନିଜସ୍ବ ପରମ୍ପରାର ନମୁନା । ରଜ ଆସିଲେ ଖୁସି ହୋଇଉଠେ ଓଡ଼ିଶାର ପୁରପଲ୍ଲୀ । ସାରା ଓଡ଼ିଶା ଖୁସିରେ ପାଳନ କରେ ତାର ଅତି ପ୍ରିୟ  ପର୍ବ ରଜ । ସାଙ୍ଗସାଥୀ ମେଳରେ ରଜେଦାଳି ଖେଳ ଆଉ ତା ସାଙ୍ଗକୁ ପାନର ପସରା ଓ ପୋଡ଼ପିଠାର ମହକ । ଚାରିଆଡ଼େ ଖେଳିଯାଏ ଆନନ୍ଦର ମାହୋଲ । ତିନି ଦିନ ଧରି ଚାଲିଥାଏ ରଜ ମଉଜ । ଦ୍ବିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ତିନି ଦିନିଆ ରଜ ମଉଜରେ ଆଜି ଦ୍ବିତିୟ ଦିବସ  । ଅର୍ଥାତ ରଜ ସଂକ୍ରାନ୍ତି । ରବିବାର ତୃତୀୟ ଦିବସ ହେଉଛି ଭୂମିଦାୟ ବା ଭୂମି ଦହନ । ସେହିଭଳି ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଯାହା ସୋମବାର ପଡ଼ିବ ।

ସୂଚନା ଥାଉକି ଏହା ଚାଷର ଆରମ୍ଭକୁ ସୂଚାଇ ଥାଏ । ରଜ ଶଦ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା  ଯାହା ପୃଥୀବିକୁ ମାତା ଭାବନରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ବଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଳଙ୍ଗଳ ପୂଜନ କରିବା  ସହ ଚାଷ କାମରୁ ତିନି ଦିନ ପାଇଁ  ବିରତି ନେଇଥାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅଙ୍କ ଲୁଡ଼ୁ ,ତାସ, ବାଗୁଡ଼ି ଆଦି ଖେଳ ଏହି ଦିବସଟି ପାଳନ କରାଯାଇଥାଏ ।