ବାଣୀବିହାରରେ ଦେଖିବାକୁ ମିଳିଛି ଜେଏନୟୁ ତାତି, ପୋଲିସ ର ଛାତ୍ରଙ୍କୁ ଅମାନୁଷିକ ମାଡ଼

ବାଣୀବିହାରରେ ଦେଖିବାକୁ ମିଳିଛି ଜେଏନୟୁ ତାତି। ପିଜି କାଉନସିଲ୍ ହଲରେ ସେମିନାର ବେଳେ ଜେଏନୟୁ ପ୍ରଫେସର ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଛାତ୍ର ମାନଙ୍କ ଗଣ୍ଡଗୋଳ ଘଟଣା ତୀବ୍ର ରୂପ ଧାରଣ କରିଛି। ସହିଦ୍ ନଗର ଥାନାରେ ଉଭୟ ଛାତ୍ର ଓ ସିଟିଜେନସ ଫୋରମ୍ ପକ୍ଷରୁ ଏତଲା ହୋଇଛି। ସେପଟେ ସନ୍ଧ୍ୟାରେ ଏବିଭିପି ସଦସ୍ୟ ଓ ବାଣୀବିହାର ଛାତ୍ରମାନେ ବାଣୀବିହାର ଫାଟକ ଆଗରେ ବିକ୍ଷୋଭ କରି ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ବ୍ୟକ୍ତିମାନଙ୍କ ଗିରଫ ଦାବି କରିଛନ୍ତି। ଏହାକୁ ନେଇ ପୋଲିସ ରାତିରେ ଛାତ୍ରମାନଙ୍କୁ ଉଠାଇନେଇ ପିଟିଛି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନାରୁ ଜଣାପଡ଼ିଛି, ଭାରତୀୟ ସମ୍ବିଧାନ ଓ ଜାତୀୟ ଶିକ୍ଷାନୀତି ପ୍ରସଙ୍ଗରେ ସିଟିଜେନ୍ସ ଫୋରମ୍ ପକ୍ଷରୁ ଆଜି ଆୟୋଜିତ ହୋଇଥିଲା ଏକ ରାଜ୍ୟସ୍ତରୀୟ ସେମିନାର। ଯେଉଁଥିରେ ଦିଲ୍ଲୀ ଜେଏନୟୁର ପ୍ରଫେସର ସୁରଜିତ୍ ମଜୁମଦାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ସୁରଜିତ୍ ମଜୁମଦାର ଭାରତୀୟ ସମ୍ବିଧାନ ପ୍ରସଙ୍ଗରେ ବକ୍ତବ୍ୟ ରଖିବା ବେଳେ ତାଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ କିଛି ପୂର୍ବତନ ଛାତ୍ର। ସମ୍ପୃକ୍ତ ଜେଏନୟୁ ପ୍ରଫେସର ଦେଶ ବିରୋଧୀ ଏବଂ ଜାତିଆଣ ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ବିରୋଧ କରିଥିଲେ ଏହି ପୂର୍ବତନ ଛାତ୍ରମାନେ। ଏହାକୁ ସିଟିଜେନ୍ସ ଫୋରମ୍ ପକ୍ଷରୁ ପ୍ରତିବିରୋଧ କରାଯିବାରୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଶେଷରେ ସେମିନାରକୁ ବନ୍ଦ ରଖାଯାଇଥିଲା।