ସୁଭଦ୍ରା ଯୋଜନାରେ ପଞ୍ଜୀକରଣ ଟପିଲା ୧ କୋଟି: କେବେ ମିଳିବ ବାକି ମହିଳାଙ୍କୁ ଟଙ୍କା ?
ଚଳିତ ମାସରେ ସୁଭଦ୍ରା ଟଙ୍କା ବାକି ରହିଥିବା ମହିଳାଙ୍କୁ ଦିଆଯିବ । କିନ୍ତୁ ତାରିଖ କୁହାଯାଇନାହିଁ । ସୋସିଆଲ ମିଡିଆ, ୟୁଟ୍ୟୁବରେ ଯେଉଁମାନେ ତାରିଖ ଦେଉଛନ୍ତି ତାହାର ସତ୍ୟତା ନାହିଁ । କେବଳ ଲୋକଙ୍କୁ ଭ୍ରମିତ କରିବା ପାଇଁ ଏପରି କରାଯାଉଛି । ତେବେ ଯେଉଁମାନେ ପଂଜୀକରଣ କରିଛନ୍ତି ସେମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇଯିବାର ବ୍ୟବସ୍ଥା କରାଯାଇଥିଲା । ପରେ ପାଞ୍ଚ ହଜାର ଟଙ୍କା ଆସିଥିଲା ।
କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟ ନିମନ୍ତେ ଏପରି କିଛି ବ୍ୟବସ୍ଥା ଏଯାବତ ଆରମ୍ଭ କରାଯାଇନାହିଁ ବୋଲି ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ସୋସିଆଲ ମିଡିଆରେ ଚାଲୁଥିବା ଏହି ମିଥ୍ୟା ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଉଛି। ଆଜି ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି ।