ସ୍ବତନ୍ତ୍ର ଆପରେ ମିଳୁଛି ରେଟ୍ ଚାର୍ଟ: ‘ଉତ୍ସବ’ ଆପକୁ ନେଇ ପୋଲିସର ମତ ଲୋଡିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ:ସ୍ବତନ୍ତ୍ର ଆପରେ ମିଳୁଛି ରେଟ୍ ଚାର୍ଟ । ଭକ୍ତଙ୍କୁ ଠକିବା ପାଇଁ ଉଦ୍ୟମ ଅଭିଯୋଗ । ଉତ୍ସବ ନାମକ ଆପ ଜରିଆରେ ଠକିବାକୁ ପ୍ରୟାସ । ହଜାର ହଜାର ଟଙ୍କା ଦେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୂଜା, ଅନ୍ନଦାନ ଆଟିକା, ଧ୍ବଜା ପରିବର୍ତ୍ତନ, ଶୁଖିଲା ଭୋଗ, ନିର୍ମାଲ୍ୟ ହୋମ ଡେଲିଭରୀ ସହ ମାସିକିଆ, ବର୍ଷିକିଆ ପୂଜା ଆଦି ବିଧିରେ ଅନଲାଇନ ମାଧ୍ୟମରେ ସାମିଲ ହେବାର ପ୍ରଲୋଭନ ଦେଇ ଠକେଇ ଉଦ୍ୟମ କରାଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ସିଂହଦ୍ବାର ଥାନା ପୋଲିସ ଜଣାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଶ୍ରୀବିଗ୍ରହଙ୍କ ନିକଟରେ ମାସିକିଆ ପୂଜା ପାଇଁ ୮ ହଜାର ୧୦୦ ଟଙ୍କା ପୈଠ କରିବାକୁ ଏହି ଉତ୍ସବ ଆପରେ କୁହାଯାଇଥିବା ବେଳେ ଏଭଳି କୌଣସି ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ନେଇ ନଥିବା ଜଣାପଡିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘଟଣାକୁ ଗୁରୁତର ସହ ନେଇ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏହି ଘଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ,ପୋଲିସ ଓ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ ନେବାକୁ ସେବାୟତ ମନେ ଦାବି କରିଛନ୍ତି ।
ସୋସିଆଲ ମିଡିଆରେ ‘ଉତ୍ସବ’ ଆପକୁ ନେଇ ଆସିଥିବା ଖବର ସମ୍ପର୍କରେ ପୁରୀ ପୋଲିସର ମତ ଲୋଡିଲା ଶ୍ରୀମନ୍ଦିର ପ୍ରଶାସନ । ଆପ ମାଧ୍ୟମରେ ଟଙ୍କା ସଂଗ୍ରହ କରାଯାଇ ଠାକୁରଙ୍କ ନିକଟରେ ଭୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଛି । ଭକ୍ତମାନଙ୍କୁ ଠକୁଛନ୍ତି କିଛି ଠକ । ଶ୍ରୀମନ୍ଦିର ଥାନା ପକ୍ଷରୁ ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ମନ୍ଦିର ପ୍ରଶାସନର ରିପୋର୍ଟ ମିଳିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।