ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମର ଉଦଯାପନ

ସେପ୍ଟେମ୍ବର ୧୪ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁଥିବା ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ, ଭୁବନେଶ୍ବର କାର୍ଯ୍ୟାଳୟରେ ମହା ସମାରୋହରେ ପାଳିତ ହେଇଯାଇଛି | ଉଦଯାପନ ଉତ୍ସବ ପ୍ରାରମ୍ଭରେ ଉପମହାନିର୍ଦେଶକ ଶ୍ରୀ ପଙ୍କଜ କୁମାର, ନିର୍ଦ୍ଦେଶକ ତଥା କାର୍ଯ୍ୟାଳୟ ଅଧ୍ୟକ୍ଷ ଡ଼ଃ ଅସିତ କୁମାର ସ୍ବାଇଁ, ନିର୍ଦ୍ଦେଶକ (ତ.ସ.) ଡ଼ଃ ଜୟପ୍ରକାଶ ମହାକୁଳ ଏବଂ ଶ୍ରୀ ପବିତ୍ର ବେହେରା ଗାନ୍ଧୀଜୀଙ୍କ ଫଟୋ ରେ ମାଲ୍ୟାର୍ପଣ କରିଥିଲେ | ଏହି ଉପଲକ୍ଷରେ ଅଧିକାରୀମାନଙ୍କ ଦ୍ଵାରା ପ୍ରସ୍ତୁତ ଏକ ସଙ୍ଗୀତ ଗାନ କରାଯାଇଥିଲା |

କାର୍ଯ୍ୟକ୍ରମର ରୂପରେଖା ବିଷୟରେ ନୋଡଲ ଅଧିକାରୀ ଶ୍ରୀ ପବିତ୍ର ବେହେରା ଆଲୋକପାତ କରିଥିଲେ | ନିର୍ଦ୍ଦେଶକ ତଥା କାର୍ଯ୍ୟାଳୟ ଅଧ୍ୟକ୍ଷ ଡ଼ଃ ଅସିତ କୁମାର ସ୍ବାଇଁ ପରିବେଶ ସ୍ବଚ୍ଛ ରଖିବା ସହ ମନକୁ ବି ସ୍ବଚ୍ଛ ରଖିବା ପାଇଁ ଆହ୍ବାନ ଦେଇଥିଲେ | ଡ଼ଃ ମହାକୁଳ ମଧ୍ୟ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଥିଲେ | ଉପମହାନିର୍ଦେଶକ ଶ୍ରୀ ପଙ୍କଜ କୁମାର ବର୍ତ୍ତମାନ ଏବଂ ଆଗାମୀ ପିଢି ପାଇଁ ସ୍ବଚ୍ଛତାକୁ ନିଜ ଧର୍ମ ରୂପେ ବିବେଚନା କରିବା ପାଇଁ ଆହ୍ବାନ ଦେଇଥିଲେ | କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସଫାଇମିତ୍ର ମାନଙ୍କୁ ମାନପତ୍ର ଏବଂ ଉପହାର ଦିଆଯାଇଥିଲା |

ସ୍ଥାନୀୟ ନୂଆପଲ୍ଲୀସ୍ଥିତ ଆଇ.ଆର.ସି. ଭିଲେଜ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ବେହେରା ମଧ୍ୟ ସ୍ବଚ୍ଛତା ଉପରେ ଉଦବୋଧନ ଦେଇଥିଲେ | ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଏବଂ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା | ଏହି ଅବସରରେ ଜନସଚେତନତା ପାଇଁ କରାଯାଇଥିବା ନାଟକର କଳାକାରମାନଙ୍କୁ ମଧ୍ୟ ପ୍ରମାଣପତ୍ର ଦିଆଯାଇଥିଲା | ଏହି ଉତ୍ସବରେ ସ୍ବଚ୍ଛତା ପାଇଁ ଗଠିତ ହେଇଥିବା କାର୍ଯ୍ୟକାରୀ ସମିତିର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ରାଉତ ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଶ୍ରୀ ଲକ୍ଷ୍ମୀକାନ୍ତ ବାରିକ ଧନ୍ୟବାଦ ପ୍ରସ୍ତାବ ଜ୍ଞାପନ କରିଥିଲେ | ଅଧିକ୍ଷଣ ଭୂବୈଜ୍ଞାନିକ ଶ୍ରୀ ରମେଶ ଚନ୍ଦ୍ର କିଶାନ ଏହି ସମସ୍ତ କାର୍ଯ୍ୟକ୍ରମର ସୂଚାରୁ ରୂପେ ସଂଚାଳନା କରିଥିଲେ |