ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ଅମିତ ଶାହ ଶନିବାର ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି। ଭୁବନେଶ୍ବରସ୍ଥିତ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସେ କର୍ମୀଙ୍କୁ କହିଛନ୍ତି, ଲଢେଇ ପାଇଁ ପ୍ରସ୍ତୁତ ରୁହ। ଯାହାକୁ ଯେଉଁ ଦାୟିତ୍ବ ଦିଆଯାଇଛି, ସେହି ଅନୁଯାୟୀ କାମ କର। ରାଜ୍ୟରେ ବୁଥ୍ ଓ ପଂଚାୟତସ୍ତରରୁ ସଂଗଠନକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ପଂଚାୟତରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଜନ ଆନ୍ଦୋଳନ କରି ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଅମିତ୍ ଶାହ ରାଜ୍ୟ ବିଜେପି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସାଧାରଣ ଲୋକଙ୍କ ନିକଟରେ ପହଂଚାଇବା ଓ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।
ନୂଆଦିଲ୍ଲୀ ଫେରିବା ପୂର୍ବରୁ ପ୍ରାୟ ୪ଘଣ୍ଟା ଧରି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଦଳର କୋର ଟିମ୍, ରାଜ୍ୟ ପଦାଧିକାରୀ, ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ ସହ ଭିନ୍ନ ଭିନ୍ନ ବୈଠକ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ଜିତାଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟର ପଦାଧିକାରୀ, ବିଧାୟକ, ସାଂସଦ ଏବଂ କୋର କମିଟି ସଦସ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।