ପୁଣି ବିପଦରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସଂଯୁକ୍ତା ଦେଲେ ଏଫଆଇଆର

ଦଳ ନେବ କି କାର୍ଯ୍ୟାନୁଷ୍ଠାନ

ବିଜେଡିର ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ପୋଲିସ ଜେରା କରିବ କି । ବିଜେଡି ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କି ? ଏପରି ଅନେକ ଚର୍ଚା ଏବେ ହେଉଛି ।  ତାଙ୍କ ନାଁ ରେ ପୁଣି ଗୁରୁତର ଅଭିଯୋଗ ଆଣିଛନ୍ତି ସଂଯୁକ୍ତା ମହଲା । ନିଜ ଅଧିକାର ପାଇଁ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି ତାଙ୍କରି ଦଳର ନେତ୍ରୀ ସଂଯୁକ୍ତା ମହଲା। ତା’ସହିତ ସେ ପୁଲିସ କମିଶନରଙ୍କୁ ଭେଟି ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସେପଟେ ବିରୋଧୀମାନେ ଏହି ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ କରୁଥିବାରୁ ବିଜେଡି ଅକଳରେ ପଡିଛି ।

ସଂଯୁକ୍ତା କହିଛନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦୀର୍ଘ ୯ ବର୍ଷ ଧରି ମୋ ସହିତ ସଂପର୍କ ରଖି ଏବେ ପ୍ରତାରଣା କରିଛନ୍ତି। ସେ ମୋତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି। ତେଣୁ ମୋତେ ମୋ ଅଧିକାର ପ୍ରଦାନ କରିବା ତଥା ତାଙ୍କୁ ଦଣ୍ଡ ଦେବା ପାଇଁ ମୁଁ ଥାନାର ଦ୍ୱାରସ୍ଥ ହୋଇଛି।

ସେ କହିଛନ୍ତି, ଶ୍ରୀକାନ୍ତ ସାହୁ ମୋତେ ମାରି ଦେବାକୁ ଧମକ ଦେଉଛନ୍ତି। ଦୁଇ ଦିନ ହେଲାଣି ମୋ ପଛରେ ଲୋକ ଲଗାଇଛନ୍ତି।  ମୋ ଜୀବନ ପ୍ରତି ବିପଦ ଅଛି। ମୋତେ ବର୍ତ୍ତମାନ ସୁରକ୍ଷା ଦରକାର। ଆଶା କରୁଛି ମୋତେ ନ୍ୟାୟ ମିଳିବ। ନହେଲେ ମୁଁ ମୋ ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯିବି।