ଟାହିଆ ଛୁଇଁଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଶ୍ରୀଜିଉଙ୍କ ଭୁଜ, ଦେହରେ ଭରା ଦେବା ମନା

ପୁରୀ :  ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କ ସେବାପୂଜା ନଥିବା ସମୟରେ ସେବାୟତମାନେ ଶ୍ରୀବିଗ୍ରହଙ୍କ ଭୂଜ ଭିତରେ ରହିପାରିବେ ନାହିଁ, ଠାକୁରଙ୍କ ଦେହରେ ଭରା ଦେଇ ଛିଡ଼ା ହୋଇପାରିବେ ନାହିଁ। ମଙ୍ଗଳ ଆଳତି ସମୟରେ କେବଳ ସେବା ସମ୍ପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀମାନେ ଭିତରକାଠ ପାଖରେ ଉପସ୍ଥିତ ରହିବେ। ପହଣ୍ଡି ସମୟରେ ଜଗମୋହନ କିମ୍ୱା ନାଟମଣ୍ଡପରେ କୌଣସି ଭିଆଇପି, ଭିଭିଆଇପି ରହିବା ଉପରେ କଟକଣା ଜାରି କରାଯାଇଛି। ସାତପାହାଚ ନିକଟରେ ଶ୍ରୀଜିଉଙ୍କ ମସ୍ତକରେ ଟାହିଆ ବନ୍ଧାଯିବ। ଦର୍ଶନାର୍ଥୀ କିମ୍ୱା ସେବାୟତ ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗିଥିବା ଟାହିଆ ଟାଣି ପାରିବେ ନାହିଁ। ଶ୍ରୀଜିଉମାନେ ରଥ ଉପରକୁ ଉଠିବା ପର୍ଯ୍ୟନ୍ତ ଏହା କିପରି ସୁରକ୍ଷିତ ରହିବ ସେ ଦାୟିତ୍ୱ ଦଇତାପତିମାନଙ୍କୁ ନ୍ୟସ୍ତ କରାଯାଇଛି।  ଟାହିୟା ଭାଙ୍ଗିଥିବା ଓ ଧରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀଜିଉ ପହଣ୍ଡି ବେଳେ ଧାଡ଼ି ପହଣ୍ଡିରେ ତିନି ରଥରେ ବିଜେ କରିବେ। ପ୍ରାଧିକୃତ ଦଇତାପତି ପହଣ୍ଡି କରିବେ। ପହଣ୍ଡି ବେଳେ କୌଣସି ବ୍ୟକ୍ତି ଶ୍ରୀମନ୍ଦିର ପରିସରରେ ନୃତ୍ୟ କରିପାରିବେ ନାହିଁ। ବେଦପାଠୀମାନେ କର୍ଡନ୍‍ ବାହାରେ ରହି ବେଦପାଠ କରିବେ ଓ ଏହି ସମୟରେ କୌଣସି ଭକ୍ତ ତିନି ଠାକୁରଙ୍କୁ ସ୍ପର୍ଶ କରିପାରିବେନି।  ପହଣ୍ଡିଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାବଳିକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ଏହି ବ୍ୟବସ୍ଥାବଳୀ ଅନୁସାରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଦଇତାପତି ନିଯୋଗ ସଭାପତି, ସମ୍ପାଦକ, ୪ ବାଡ଼ଗ୍ରାହୀ ଓ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି।  କୌଣସି ଦର୍ଶନାର୍ଥୀ ଅବା ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ କିମ୍ୱା ନାଟମଣ୍ଡପକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି।