ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ଦୁଇ ଶିକ୍ଷକ
ନବରଙ୍ଗପୁର: ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଦୁଇ ଶିକ୍ଷକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ବାପା ଏତଲା ଦେବାରୁ କୁନ୍ଦେଇ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସହ ଦୁଇ ଶିକ୍ଷକ ଗଣଦୁଷ୍କର୍ମ କରିଛନ୍ତି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ରହିଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଘଟଣା ପଛରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ସଂପୃକ୍ତି ରହିଥିବା କୁହାଯାଉଛି ।
ଗତ ୭ ତାରିଖ ଦିନ ପୀଡ଼ିତାଙ୍କ ସହ ଦୁଇ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମାନସିକ ଆଘାତ ଯୋଗୁଁ ପୀଡ଼ିତା ସ୍କୁଲରେ ହୋଇଥିବା ଅତ୍ୟାଚାର ସଂପର୍କରେ ଘରେ କାହାକୁ କିଛି କହିନଥିଲେ । ତେବେ ଗତକାଲି ସକାଳେ ଅସୁସ୍ଥ ହୋଇପଡ଼ିଥିଲେ ମଧ୍ୟ ଦୁଷ୍କର୍ମ ସଂପର୍କରେ ଆଦୌ ମୁହଁ ଖୋଲି ନଥିଲେ । ତେଣୁ ପରିବାର ଲୋକ ଡାକ୍ତରଖାନାକୁ ନେଇ କିଛି ପେନ୍ କିଲର ଆଣି ଖାଇବାକୁ ଦେଇଥିଲେ । ପୁଣି ଆଜି ସକାଳେ ପୁଣି ଯନ୍ତ୍ରଣା ହେବାରୁ ଡାକ୍ତରଖାନା ନିଆଯାଇଥିଲା । ପେନ୍ କିଲର୍ ଖାଇବା ସତ୍ତ୍ବେ ଯନ୍ତ୍ରଣା କମିନଥିବାରୁ କାର୍ଯ୍ୟରତ ନର୍ସଙ୍କ ସନ୍ଦେହ ହୋଇଥିଲା । ଏକୁଟିଆ ପୀଡ଼ିତାଙ୍କ ସହ କଥାବାର୍ତ୍ତା କରିବାରୁ ବହୁ କଷ୍ଟରେ ଦୁଷ୍କର୍ମ ହୋଇଥିବା ପ୍ରକାଶ କରିଥିଲେ । ଲିଖିତ ଏତଲା ଦେବାରୁ ଦୁଇ ଶିକ୍ଷକଙ୍କୁ ଥାନାକୁ ଡକାଇ ଅଟକ ରଖିଛି । ପରବର୍ତ୍ତୀ ସମୟରେ ପୀଡ଼ତାଙ୍କୁ ଚିକିତ୍ସା ନିମନ୍ତେ ଉମରକୋଟ ଡାକ୍ତରଖାନାକୁ ପଠାଯାଇଥିଲା । ରାତି ପ୍ରାୟ ୮ଟାରେ ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି । ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରବଳ ଉଦ୍ବେଗ ପ୍ରକାଶ ପାଇଛି ।