ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଲା

କଟକ: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି ।  ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁକୁ ନେଇ ବିଜେପି , କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି । ରାଜ୍ୟରେ ମହିଳାମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବୃଦ୍ଧି ପାଇଥିବା ବେଳେ ପୋଲିସ ଏବଂ ସରକାର ସ୍ଥାଣୁ ପାଲଟି ଥିବା ବିରୋଧୀଦଳମାନେ ଅଭିଯୋଗ କରିଛନ୍ତି । ସେପଟେ ପରିବାର ଲୋକ କହିଛନ୍ତି ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି ।  ଶ୍ବାସରୁଦ୍ଧ ହୋଇ ରାଜଶ୍ରୀଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଥିବା ବେଳେ ପରିବାର ଲୋକ ଏହି ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମୃତ୍ୟୁ ପରେ ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ଗୁରୁଡିଝାଟିଆ ପୋଲିସକୁ ପୋଷ୍ଟମଟମ୍ ରିପୋର୍ଟ ହସ୍ତାନ୍ତର କରାଯାଇଛି । ମୃତ୍ୟୁର କାରଣ ଜାଣିବାକୁ ଭିସେରା ରିପୋର୍ଟକୁ ଅପେକ୍ଷା । ମୃତ୍ୟୁ ପୂର୍ବରୁ ରାଜଶ୍ରୀ କପୁରସିଂହ ପେଟ୍ରୋଲ ପମ୍ପରେ ଶେଷଥର ପାଇଁ ପେଟ୍ରୋଲ ପକାଇଥିବା ଦେଖିବାକୁ ମିଳିଛି ।
ତାଙ୍କ ଗାଡ଼ି ଡ଼ିକିରୁ ପେଟ୍ରୋଲ ପକାଇଥିବା ବିଲ୍‌ ସହ ଏଟିଏମ୍ କାର୍ଡ ଜବତ ହୋଇଛି । । ପେଟ୍ରୋଲ ପମ୍ପ ଠାରୁ ମାତ୍ର ୧ କିଲୋମିଟର ଦୁରରେ ମିଳିଥିଲା ମୃତଦେହ । ପେଟ୍ରୋଲ ପକାଇବାର ସିସିଟିଭି ଦୃଶ୍ୟ ଯାଞ୍ଚ କରୁଛି ପୋଲସି । ଗତ ୧୩ ତାରିଖରେ ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଆଠଗଡ ସୁବାସିଂ ଜଙ୍ଗଲରୁ ମିଳିଥିଲା । ୨୦୧୪-୧୫ ଓଡିଶା ସିନିୟର ମହିଳା କ୍ରିକେଟ ଟିମରେ ଖେଳୁଥିଲେ ରାଜଶ୍ରୀ।