ଶ୍ରୀମନ୍ଦିର ପାଇଁ ୨୭୧ କୋଟିର ବଜେଟ୍‌

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷର  ବଜେଟ୍‌ରେ ୨୭୧.୦୭ କୋଟି ଟଙ୍କାର ଆୟ ଓ ୨୬୨.୧୬ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡା. କେ. ବିଶାଲ ସିଂହଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।  ବାର୍ଷିକ ବଜେଟ୍‌ର ପ୍ରମୁଖ ଆୟ ଉପରେ ନଜର ପକାଇଲେ, ଖଣିଖାଦାନରୁ ୩୦ କୋଟି, ହୁଣ୍ଡି, ଭକ୍ତଙ୍କ ଦାନ ଆଦିରୁ ୩୭.୫୦ କୋଟି, କର୍ପସ ପାଣ୍ଠି, ମୂଳ ପାଣ୍ଠି ଓ ଶ୍ରୀମନ୍ଦିର ପାଣ୍ଠି ଆୟରୁ ୬୦.୨୮ କୋଟି, ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣରୁ ୫୦ କୋଟି, ସରକାରୀ ଅନୁଦାନ ବାବଦକୁ ୭୩.୧୪ କୋଟି, ଭକ୍ତ ନିବାସରୁ ୧୦.୩୦ କୋଟି ଓ ଅନ୍ୟାନ୍ୟ ସୂତ୍ରରୁ ୯.୮୫ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି। ମୋଟ୍‌ ୮.୯୧ କୋଟି ଟଙ୍କାର ବଳକା ବଜେଟ୍‌ ପ୍ରସ୍ତୁତ ହୋଇଛି। ରାଜସ୍ବ ଆୟ ୧୭୪.୩୪ କୋଟି ଟଙ୍କା ଓ ପୁଞ୍ଜି ଆୟ ୯୪.୭୩ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିଭଳି ଚଳିତବର୍ଷ ରାଜସ୍ବ ବ୍ୟୟ ୧୩୨.୧୦ କୋଟି ଟଙ୍କା ଓ ପୁଞ୍ଜି ବ୍ୟୟ ୧୩୦.୦୬ କୋଟି ଟଙ୍କା ରଖାଯାଇଛି।