ରାଜଭବନ ସାମ୍ନାରେ ୧୨ଦଳ କରିବେ ବିକ୍ଷୋଭ

ଭୁବନେଶ୍ବର: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ନେଇ  ସିବିଆଇ ବାଲେଶ୍ୱରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ସେପଟେ ସିବିଆଇ ତଦନ୍ତକୁ ଦେଶର ପ୍ରମୁଖ ୧୨ଟି ରାଜନୀତିକ ଦଳର ରାଜ୍ୟ ଶାଖା ପ୍ରତ୍ୟାଖ୍ୟାନ କରିବା ସହ ବୁଧବାର ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି । ଏହାସହିତ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା,  ରେଳବାଇ ବିଭାଗରେ ଜଣକୁ ଚାକିରି ଦେବାକୁ ଦାବି କରିଛନ୍ତି । ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ନୁହେଁ ବରଂ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ପାଇଁ ଏହି ଦଳ ମିଳିତ ଭାବେ ଦାବି କରିଛନ୍ତି ।ସୁପ୍ରିମ୍‌କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସ୍‌.ଆଇ.ଟି ଦ୍ୱାରା ତଦନ୍ତ କରିବା ପାଇଁ ୧୨ଟି ବିରୋଧୀ ଦଳ ଦାବି କରିଛନ୍ତି। ଏହାସହ ଯାତ୍ରୀମାନଙ୍କର ନିରାପତ୍ତା ଏବଂ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅବିଳମ୍ବେ ପଦକ୍ଷେପ ଗ୍ରହଣ କରିବା ଦାବିରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।