ଲୋକମାନେ ଆଜି ଭୌତିକ ସୁଖ ପଛରେ ଦୌଡୁଛନ୍ତି:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକଠାରେ ବ୍ରହ୍ମକୁମାରୀଙ୍କ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେଇଛନ୍ତି । ଲୋକମାନେ ଆଜି ଭୌତିକ ସୁଖ ପଛରେ ଦୌଡୁଛନ୍ତି । ସେମାନେ ଭାବନ୍ତି ଯେ ସୁଖର ଅର୍ଥ କେବଳ ଭୌତିକ ସୁଖ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆମେ ଆମର ଭୌତିକ ଇଚ୍ଛାକୁ ସୀମିତ କରିବୁ ସେତେବେଳେ ହିଁ ଆମେ ପ୍ରକୃତ ସୁଖ ହାସଲ କରିପାରିବୁ । ରାଷ୍ଟ୍ରପତି କହିଥିଲେ ଯେ ଧର୍ମ ହେଉଛି ଏକ ଜୀବନ ଶୈଳୀ ଏବଂ ବ୍ରହ୍ମକୁମାରୀମାନେ ଲୋକମାନଙ୍କୁ ସେମାନଙ୍କ ଜୀବନର ଉଦ୍ଦେଶ୍ୟ ଅନୁଭବ କରାଇବା ପାଇଁ ପ୍ରୟାସ କରୁଛନ୍ତି । ସେମାନେ ଜ୍ଞାନର ଆଲୋକ ବିସ୍ତାର କରୁଛନ୍ତି ଏବଂ ଲୋକଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ସହିତ ଜୀବନ ଯାପନ କରିବାରେ ସାହାଯ୍ୟ କରୁଛନ୍ତି ।ଶାନ୍ତି ବଜାୟ ରହିଲେ ହିଁ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଭାରତରେ ଆଧ୍ୟାତ୍ମିକ ଚେତନାର ପ୍ରସାର ପାଇଁ ଅନେକ ଆଧ୍ୟାତ୍ମିକ ଓ ଧାର୍ମିକ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ବ୍ରହ୍ମକୁମାରୀମାନେ ଅହିଂସା, ଶାନ୍ତି, ସଦ୍ଭାବ, ଭାଇଚାରା ଏବଂ ସହନଶୀଳତା ଭଳି ଚିରନ୍ତ ଓ ଭାରତୀୟ ମୂଲ୍ୟବୋଧକୁ ଭାରତ ତଥା ବିଦେଶରେ ପ୍ରସାର କରୁଛନ୍ତି । ବ୍ରହ୍ମକୁମାରୀଙ୍କ ଅନୁଷ୍ଠାନ ଯୋଗ ଓ ଧ୍ୟାନକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା ଦିଗରେ କାର୍ଯ୍ୟ କରୁଛି ବୋଲି କହି ସେ ଖୁସି ବ୍ୟକ୍ତ କରିଥିଲେ।