ସାହିତ୍ୟିକ ନିଜ ଜାତିର ସଂସ୍କୃତିକୁ ସାହିତ୍ୟରେ ପ୍ରତିଫଳିତ କରାଇଥାନ୍ତି
ବାରିପଦାରେ ଆୟୋଜିତ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମହାମହିମ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ସ୍ୱାଧୀନତା ସଂଗ୍ରାମ ସମୟରେ ଅନେକ ସାହିତ୍ୟିକ ଆମ ଜାତୀୟ ଆନ୍ଦୋଳନକୁ ନୂଆ ରାହା ଦେଖାଇଥିଲେ ଓ ସଂଗ୍ରାମର ବାର୍ତ୍ତାକୁ ପୁରପଲ୍ଲୀରେ ପହଞ୍ଚାଇଥିଲେ। ଜଣେ ସାହିତ୍ୟିକ ଖାଲି ସମାଜକୁ ସଚେତନ କରାଇଥାନ୍ତି ତା ନୁହେଁ, ନିଜ ଜାତିର ସଂସ୍କୃତିକୁ ମଧ୍ୟ ସାହିତ୍ୟରେ ପ୍ରତିଫଳିତ କରାଇଥାନ୍ତି। ତେଣୁ ଲେଖନୀ ମାଧ୍ୟମରେ ଲୋକମାନଙ୍କ ଭିତରେ ସଚେତନତା ଓ ସାମାଜିକ ଜାଗରଣ ସୃଷ୍ଟି ପାଇଁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସାହିତ୍ୟିକମାନେ ନିଜ ଲେଖାରେ ଜନଜାତୀୟ ସମାଜଭିତ୍ତିକ ପ୍ରସଙ୍ଗ ସବୁକୁ ସ୍ଥାନୀତ କଲେ ଆଦିବାସୀ ସମାଜର ମୂଲ୍ୟବୋଧ ବିଷୟରେ ଅନ୍ୟମାନେ ଜାଣିପାରିବେ। ସେହିପରି ଭାରତବର୍ଷ ବିଭିନ୍ନ ଭାଷାସାହିତ୍ୟର ଏକ ସୁନ୍ଦର ବଗିଚା। ଯାହାଦ୍ୱାରା ଗୋଟିଏ ଜାତି ଏକତାର ବନ୍ଧନ ସୂତ୍ରରେ ଆବଦ୍ଧ ହୋଇଥାଏ। ଭାଷାସାହିତ୍ୟର ସମୃଦ୍ଧି ପାଇଁ ଅନୁବାଦ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ସାନ୍ତାଳୀ ଭାଷାର ପାଠକପାଠିକାମାନଙ୍କୁ ଅନୁବାଦ ମାଧ୍ୟମରେ ଅନ୍ୟ ଭାଷାର ସାହିତ୍ୟ ସହିତ ପରିଚିତ କରାଯିବା ଉଚିତ। ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଏ ଦିଗରେ ନିଶ୍ଚିତ ପ୍ରୟାସ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ସାନ୍ତାଳୀ ଭାଷାରେ ସେ ନିଜ ଭାଷଣ ରଖିଥିବା ବେଳେ ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଏହାର ଓଡ଼ିଆ ଅନୁବାଦ କରିଥିଲେ। ସହିଦ୍ ସ୍ମୃତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ପଶ୍ଚିମବଙ୍ଗ ଲୋକସଭା ସାଂସଦ କୁନାର ହେମ୍ବ୍ରମ୍, ଆସାମ ବିଧାନସଭାର ପୂର୍ବତନ ବାଚସ୍ପତି ପୃଥିବୀ ମାଝୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।
ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ଜାତୀୟ ସଭାପତି ଲକ୍ଷ୍ମଣ କିସ୍କୁ ସମ୍ମିଳନୀରେ ସଭାପତିତ୍ବ କରିଥିବା ବେଳେ ଟାଟା ଷ୍ଟିଲ୍ ଆଦିବାସୀ ସାଂସ୍କୃତିକ ସଂଗଠନର ମୁଖ୍ୟ ଜିରେନ୍ ଜାଭିୟର କିସ୍କୁ ମଞ୍ଚାସୀନ ଥିଲେ। ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଆୟୋଜକ କମିଟିର ଅଧ୍ୟକ୍ଷା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ଅର୍ଜୁନ ମାରାଣ୍ଡି ଧନ୍ୟବାଦ ଦେଇଥିଲେ। ରବୀନ୍ଦ୍ର ମୁର୍ମୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।