ଆସନ୍ତା ୪ ତାରିଖ ଦିନ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ

ପୁରୀ: ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତା ୪ ତାରିଖ ଦିନ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ। ଏଥିପାଇଁ ଆଜି ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ। ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି ।

ମହାପ୍ରଭୁଙ୍କ ପହଣ୍ଡି ନୀତି ଏବଂ ଅନ୍ୟାନ୍ୟ ନୀତି ଶୃଙ୍ଖଳିତ ଭାବେ କରିବା ନେଇ ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି ସେବାୟତ। ଭକ୍ତ, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଅସ୍ଥାୟୀ ବ୍ୟାରିକେଡ଼ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ପହଣ୍ଡି ନୀତି ଠାରୁ ଆରମ୍ଭ କରି ଜଳଲାଗି ଓ ଅନ୍ୟାନ୍ୟ ନୀତି ସାରିବାକୁ ଗୁରୁତ୍ବ ଦିଆଯାଇଛି। ଶ୍ରଦ୍ଧାଳୁମାନେ ଯେହେତୁ ବଡଦାଣ୍ଡରୁ ଠିଆ ହୋଇ ଦର୍ଶନ କରିବେ, ତେଣୁ ମହାପ୍ରଭୁଙ୍କ ସମ୍ମୁଖ ଭାଗରେ କୌଣସି ସେବାୟତ ଠିଆ ହେବେ ନାହିଁ ବୋଲି ସେବାୟତ ମାନଙ୍କୁ କୁହାଯାଇଛି ।