ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ
ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ହୋଇଛି । ୮୨ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ଦେହତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
କଟକର ଚାନ୍ଦିନି ଚୌକରେ ତାଙ୍କର ଜନ୍ମ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ। ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ ଝରଣା। ତାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ ।
ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ।