ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା
ଭୁବନେଶ୍ୱର :ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା । ଅକ୍ଟୋବର ୨୯, ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ମୁକାବିଲା ନେଇ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି । ବିପର୍ଯ୍ୟୟ ସମୟରେ ମିଶନ ଜିରୋ କାଜୁଆଲଟିରେ ଗୁରୁତ୍ବ ଦେଇ କାମ କରୁଛନ୍ତି ଓଡ଼ିଶା ସରକାର । ପ୍ରତି ବର୍ଷ ଅକ୍ଟୋବର ୨୯କୁ ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳନ କରାଯାଉଛି । ଏବର୍ଷର ଥିମ୍ ରହିଛି, ‘ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା । ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହାସହ ପ୍ରତି ଗାଁକୁ ବିପର୍ଯ୍ୟୟ ପ୍ରଶମନ ପାଇଁ ପ୍ରସ୍ତୁତ କରାଯିବ । ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୯୯୯ ଅକ୍ଟୋବର ୨୯ ତାରିଖ ଦିନ ଆଖି ଖୋଲିଲା ବେଳକୁ ଘୁ ଘୁ ଗର୍ଜନ କରି ମାଡି ଆସୁଥିଲା ପବନ, ବଞ୍ଚିବା ଆଶାରେ ଦୌଡୁଥିଲା ଜୀବନ । ଘଣ୍ଟା ପ୍ରତି ୨୯୦ କିଲୋମିଟର ବେଗର ବହିଥିଲା ପବନ । ଭାଙ୍ଗୁଥିଲା ଘର, ମାଟିରେ ଲୋଟୁଥିଲା ମହାଦ୍ରୁମ । ଜୁଆର ମାଡ଼ି ଆସୁଥିଲା । ମୂଷଳଧାରାରେ ବର୍ଷୁଥିଲା ବର୍ଷା । ବନ୍ଧୁ, ପରିଜନ, ଆତ୍ମୀୟ, କିଏ କେଉଁଠି ? କାହା ପାଖରେ ନଥାଏ କାହାରି ଖବର । ପ୍ରଖର ସୁଅରେ ପତ୍ର ପରି ଭାସିଯାଉଥିଲା ମଣିଷ । ସେହି ପ୍ରଳୟଙ୍କରୀ ୯୯ ମହାବାତ୍ୟାକୁ ପୂରିଛି ୨୪ ବର୍ଷ। ହେଲେ ସେହି କ୍ଷତ ଆଜି ବି ଅଭୁଲା ଅଲିଭା । ମହାବାତ୍ୟା ମିଟାଇ ଦେଇଥିଲା ଉପକୂଳ ଓଡ଼ିଶାର ଅସ୍ତିତ୍ୱ । ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାକୁ ଛାରଖାର କରି ଦେଇଥିଲା ମହାବାତ୍ୟା । ସେତେବେଳେ ଓଡ଼ିଶାରେ ଥିଲା କଂଗ୍ରେସ ସରକାର । ଗିରିଧର ଗମାଙ୍ଗ ଥାଆନ୍ତି ମୁଖ୍ୟମନ୍ତ୍ରୀ । ପ୍ରସାଦ ହରିଚନ୍ଦନ ଗୃହ ମନ୍ତ୍ରୀ । ପାଣିପାଗ ବିଭାଗ ଅବଗତ କରିବା ସତ୍ତ୍ବେ ମହାବାତ୍ୟା ଆସିବାର ଆକଳନ କରିପାରି ନଥିଲେ ସରକାର । ଯେଉଁଥି ପାଇଁ ଧନ ଜୀବନକୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ । ଚାଲିଯାଇଥିଲା ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ।