ଆମ ଓଡ଼ିଶା, ନବୀନ ଓଡ଼ିଶା’ ପ୍ରସ୍ତାବକୁ କ୍ୟାବିନେଟ ମୋହର
ଭୁବନେଶ୍ବର : ନୂଆ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ରାଜ୍ୟ କ୍ୟାବିନେଟରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୋଟ ୯ଟି ପ୍ରସ୍ତାବ ଉପରେ ମୋହର ମାରଛି ରାଜ୍ୟ କ୍ୟାବିନେଟ । ତେବେ ଗ୍ରାମାଞ୍ଚଳ ଭିତ୍ତିଭୂମି ବୃଦ୍ଧିକୁ ତ୍ବରାନ୍ବିତ କରିବା ସହ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହାଦ୍ବାରା ଓଡିଶାର ଐତିହ୍ୟ ଓ ସାଂସ୍କୃତିକ ଭିତ୍ତିଭୂମି ବିକାଶ, ପ୍ରାଥମିକ ଶିକ୍ଷା ଉନ୍ନତିକରଣ, ମହିଳା, ଯୁବକ ସଶକ୍ତିକରଣ ହାସଲ କରିବା ପାଇଁ ଭିତ୍ତିଭୂମି ବିକାଶ, ଯୁବପୀଢ଼ିଙ୍କ ପାଇଁ କ୍ରୀଡ଼ା ସୁବିଧା, ବ୍ୟାଙ୍କିଂ ସେବା ତଥା ଡିଜିଟାଲ୍ ସେବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ କରାଯିବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଯୋଜନାରେ ୪ହଜାର କୋଟି ବ୍ୟୟବରାଦ କରାଯାଇଛି । ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ପର୍ଯ୍ୟନ୍ତ ଅନୁଦାନ ଦିଆଯାଇପାରିବ।
୧୦ ଜୁଲାଇ, ୨୦୨୩ | କ୍ୟାବିନେଟ୍ ବୈଠକ
ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଏବଂ ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ପ୍ରେସ୍ ବିବୃତି: pic.twitter.com/NEgB0LdjKa
— I & PR Department, Odisha (@IPR_Odisha) July 10, 2023
‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏହି ଯୋଜନା ଏଭଳି ଏକ ନୂଆ ଓଡ଼ିଶାର ସୂତ୍ରପାତ କରିବ, ଯାହାର ଭିତ୍ତି ହେବ ସୁଦୃଢ଼ ଓ ଡେଣା ହେବ ଶକ୍ତ। ଏଭଳି ଏକ ଆଧୁନିକ ଓଡ଼ିଶା ଗଠନ ହେବ, ଯାହା କି ଆମର ମୌଳିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ। ମୁଖ୍ୟମନ୍ତ୍ରୀ କହିଥିଲେ, ଆମର ଗାଁଗୁଡ଼ିକରେ ଯୁବ ସମାଜ ପାଇଁ ଇଣ୍ଟର୍ନେଟ୍ ସଂଯୋଗ ଦରକାର। ଖେଳ ପଡ଼ିଆ ଓ ବିଜ୍ଞାନ ପାର୍କ ଦରକାର। ସେମାନଙ୍କ ପାଇଁ ତାଲିମ ସୁବିଧା ମଧ୍ୟ ଦରକାର। ଗାଁର ଉଦ୍ୟୋଗୀ ବିଶେଷ କରି ମା’ମାନଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଦରକାର। ମୁଁ ଚାହେ, ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ଥିବା ପ୍ରଭେଦ ଦୂର ହେଉ। ସମସ୍ତଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ମିଳୁ। ଡିଜିଟାଲ ଭିତ୍ତିଭୂମିର ବିକାଶ ହେଉ। ତା’ ସହିତ ଅନ୍ୟ ଆଧୁନିକୀକରଣ କାମ ମଧ୍ୟ ହେଉ।
ଓଡ଼ିଶା ସବୁବେଳେ ତା’ର ସଂସ୍କୃତି, ପରମ୍ପରା ଓ ଇତିହାସ ସହିତ ଦୃଢ଼ ଭାବରେ ଯୋଡ଼ି ହୋଇ ରହିଛି। ଓଡ଼ିଶା ହେଉଛି ସେହି ଭୂମି ଯେ କି ସାରା ବିଶ୍ୱକୁ ଜଗନ୍ନାଥ ସଂସ୍କୃତି ପରି ମହାନ ସଂସ୍କୃତି ସହ ପରିଚିତ କରାଇଛି। ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ଏହି ଯୋଜନାରେ ଐତିହାସିକ ପଦକ୍ଷେପ ନେଇଛୁ। ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଇତିହାସ ଓ ଆଧ୍ୟାତ୍ମିକତା ସହ ଯୋଡ଼ି ହୋଇ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ସେସବୁ ସ୍ଥାନର ସଂରକ୍ଷଣ ଓ ସୁରକ୍ଷା ଜରୁରୀ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ହିଁ ଏହି କାମକୁ ଅଧିକ ଦକ୍ଷତାର ସହ କରିପାରିବେ।