ନବୀନଙ୍କ କ୍ୟାବିନେଟରେ ସାମିଲ ହେଲେ ତିନି ନୂଆ କ୍ୟାବିନେଟ ମନ୍ତ୍ରୀ

ଭୁବନେଶ୍ବର: ତିନି ନୂଆ ମନ୍ତ୍ରୀ ନେଲେ ଶପଥ । କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଥମେ ବିକ୍ରମ କେଶରୀ ଆରୁଖ, ପରେ ସୁଦାମ ମାରାଣ୍ଡି ଏବଂ  ଶାରଦା ପ୍ରସାଦ ନାୟକ ଶପଥ ନେଇଛନ୍ତି । ଲୋକସେବା ଭବନର କନଭେନସନ ହଲରେ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ୩ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଓ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ବ ଦିଆଯାଇଛି । ଶପଥ ଗ୍ରହଣର ମାତ୍ର କିଛି ସମୟ ଭିତରେ ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ୧୯୯୫ ମସିହାରୁ ଲଗାତର ୫ ଥର ଭଞ୍ଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଛନ୍ତି ବିକ୍ରମ । ୨୦୦୮ ମସିହାରେ ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ଅର୍ଥାତ ୨୦୦୯ ମସିହାରେ ସେ ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ଏହି ପାଳିରେ ସେ ୫ ବର୍ଷ ମନ୍ତ୍ରୀ ହେବା ସହ ୨୦୧୪ରେ ବି ପୁଣି ପାଞ୍ଚ ବର୍ଷ ପାଇଁ ମନ୍ତ୍ରୀ ହୋଇଥିଲେ। ନବୀନଙ୍କ ପଞ୍ଚମ ପାଳିରେ ବି ସେ ଜଙ୍ଗଲ, ପରିବେଶ ଓ ସଂସଦୀୟ ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ସେ ବାଚସ୍ପତି ହୋଇଥିଲେ ।

 ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ନବୀନଙ୍କ ଚତୁର୍ଥ ପାଳିରେ ସେ ରାଷ୍ଟ୍ର ମନ୍ତ୍ରୀ ହୋଇଥିଲେ। ପରେ ୨୦୧୭ରେ ସେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ି ପଞ୍ଚମ ପାଳିରେ ପୁଣି ମନ୍ତ୍ରିମଣ୍ଡଳକୁ ଫେରି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଦାୟିତ୍ବ ସମ୍ଭାଳିଥିଲେ । ୨୦୨୨ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ସେ ବାଦ ପଡ଼ିଥିଲେ ।  ଶାରଦା ପ୍ରସାଦ ନାୟକ  ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ମଧ୍ୟ ତାଙ୍କର ମନ୍ତ୍ରୀ ହେବାର ଅଭିଜ୍ଞତା ରହିଛି । ସେ ଏଥରକୁ ମିଶାଇ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।