ବିବାହ ପ୍ରମାଣପତ୍ର ଦେଇ ପାରିବେନି ନୋଟାରି

ବିବାହ ପ୍ରମାଣପତ୍ର ନୋଟାରି ପବ୍ଲିକ୍ ଜାରି କରିବ‌ା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷବ୍ୟକ୍ତ କରିଛନ୍ତି। ବିବାହ ସଂପର୍କିତ ପ୍ରମାଣପତ୍ର ଜାରି ନ କରିବାକୁ ଆଇନ ବିଭାଗ ନୋଟାରିମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏଥିସହିତ ଏହି ପ୍ରସଂଗରେ ସୁପ୍ରିମକୋର୍ଟ, ଓଡ଼ିଶା ହାଇକୋର୍ଟ ଓ ଅନ୍ୟ ହାଇକୋର୍ଟଙ୍କ ରାୟ ରହିଛି। କିନ୍ତୁ ଅଧିକାଂଶ ନୋଟାରି ଏ ନେଇ ଅବଗତ ନାହାନ୍ତି। ଏଭଳି ସ୍ଥିତିରେ ରାଜ୍ୟର ସମସ୍ତ ନୋଟାରିଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନୋଟାରିଙ୍କ ପାଇଁ ଆଭାସୀ ମାଧ୍ୟମରେ ନିୟମିତ ଭାବେ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ନୋଟାରି ଆଇନର ଧାରା ୮ ଅନୁସାରେ ନୋଟାରିଙ୍କ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିବେ। ‌େନାଟାରିଙ୍କ କାର୍ଯ୍ୟ ଓ କ୍ଷମତା ପରିସର ନେଇ ଗାଇଡଲାଇନରେ ଉଲ୍ଲେଖ କରାଯିବ ବୋଲି ହାଇକୋର୍ଟ କହିଛନ୍ତି।ପ୍ରକାଶ ଯେ ପତ୍ନୀଙ୍କୁ ଉଦ୍ଧାର କରି ତାଙ୍କ ଜିମାରେ ଦିଆଯାଉ ବୋଲି ଦର୍ଶାଇ ଜଣେ ବ୍ୟକ୍ତି ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାୟର କରିଥିଲେ। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ବିବାହ ସଂପର୍କିତ ପ୍ରମାଣ ସ୍ବରୂପ ନୋଟାରିଙ୍କ ନିକଟରେ ପ୍ରସ୍ତୁତ କରାଯାଇଥିବା ଘୋଷଣାନାମା (ମ୍ୟାରେଜ ଡିକ୍ଲାରେସନ୍) ଉପସ୍ଥାପନ କରାଯାଇଥିଲା। ବିବାହ ଘୋଷଣାନାମାରେ ଆବେଦନକାରୀ ଓ କନ୍ୟା ଦସ୍ତଖତ କରିଥିବା ଦେଖିବାକୁ ମିଳିଥିଲା। ନୋଟାରିଙ୍କ ପାଖରେ ଉଭୟ ଏହି ଘୋଷଣାନାମା ନେଇ ଶପଥପାଠ କରିଥିଲେ। କେଉଁ ଆଇନଗତ ପ୍ରମାଣ ଆଧାରରେ ଏହି ବିବାହ ଘୋଷଣାନାମା ନୋଟାରିଙ୍କ ନିକଟରେ ପ୍ରସ୍ତୁତ କରାଯାଇଛି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। ନୋଟାରିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟ ପୁଲିସ ନିକଟରୁ ମଧ୍ୟ ରିପୋର୍ଟ ତଲବ କରିଥିଲେ। ଶୁଣାଣି ସମୟରେ ଦାଖଲ ରିପୋର୍ଟରୁ ଓ ମହିଳାଙ୍କ ବୟାନରୁ କୌଣସି ବିବାହ ମନ୍ଦିରରେ ହୋଇ ନଥିବା ସ୍ପଷ୍ଟ ହୋଇଥିଲା। କେବଳ ନୋଟାରିଙ୍କ ନିକଟରେ ଘୋଷଣାନାମା କରାଯାଇଥିଲା। ନୋଟାରିଙ୍କ ନିକଟରେ କରାଯାଇଥିବା ଘୋଷଣାନାମାରେ ଉଲ୍ଲେଖ କରାଯାଇଥିବା ତଥ୍ୟ ମିଛ ବୋଲି ଜଣାପଡ଼ିଥିଲା। ସିମୂଳିଆର ନୋଟାରି ଏ.କେ.ମହାନ୍ତି ସତ୍ୟପାଠ ଦାଖଲ କରି ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଆଉ ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବେ ନାହିଁ ବୋଲି କହିଥିଲେ। ହାଇକୋର୍ଟ ତାଙ୍କ ସତ୍ୟପାଠକୁ ଗ୍ରହଣ କରିଥିଲେ। ମାମଲାରେ ଆଉ କୌଣସି ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ ମନା କରିବା ସହିତ ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।