ବିଶ୍ବବିଦ୍ୟାଳୟ ବର୍ଗରେ ତଳକୁ ଖସିଲା ଉତ୍କଳ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମଓ୍ୱାର୍କ ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ବର୍ଗରେ ଓଡ଼ିଶାରୁ ୩ଟି ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ସୋଆ ୧୫ ଓ କିଟ୍‌ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଛି। ମାତ୍ର ଉତ୍କଳ ବିଶ୍ବବିଦ୍ୟାଳୟ ଗତବର୍ଷ ତୁଳନାରେ ୫ଟି ସ୍ଥାନ ତଳକୁ ଖସି ୯୩ତମ ସ୍ଥାନରେ ରହିଛି।ବିଗତ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ସାମଗ୍ରିକ ସଫଳତାକୁ ଆଧାର କରି ପ୍ରକାଶିତ ଶ୍ରେଷ୍ଠ ଶହେ ଭିତରକୁ ଆସିପାରି ନାହାନ୍ତି। ଦେଶର ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାରୁ ୪ଟି ଶିକ୍ଷାନୁଷ୍ଠାନ ପୂର୍ବ ଭଳି ସ୍ଥାନ ବଜାୟ ରଖିଛନ୍ତି। ୩୦ତମ ସ୍ଥାନରେ ଥିବା ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ବିଶ୍ବବିଦ୍ୟାଳୟ ଏ ବର୍ଷ ୨୬ତମ ସ୍ଥାନକୁ ଉଠିଛି। କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌) ଡିମ୍‌ଡ ବିଶ୍ବବିଦ୍ୟାଳୟ ମଧ୍ୟ ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରି ୨୯ତମ ସ୍ଥାନରେ ପହଞ୍ଚିଥିବା ବେଳେ ଏନ୍‌ଆଇଟି ରାଉରକେଲା ୩୭ତମ ସ୍ଥାନକୁ ଉନ୍ନୀତ ହୋଇଛି।