ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ୧୪ ବିଭାଗରେ ପୁରସ୍କାର ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୪ ବିଭାଗରେ ଆବେଦନ ଆରମ୍ଭ । ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ଆଗକୁ ଆହୁରି ସଫଳତା ହାସଲ କରିବାକୁ ପ୍ରୋତ୍ସାହିତ କରିବା ହେଉଛି ଏହାର ଉଦ୍ଦେଶ୍ୟ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ନଭେମ୍ବର ୪ ତାରିଖ (ଶନିବାର)ଠାରୁ ଆବେଦନ ଆରମ୍ଭ ହେବ । ଏହି ଆବେଦନ ପ୍ରକ୍ରିୟା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପୁରସ୍କାର ପାଇଁ ସମ୍ପୃକ୍ତ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ୍ www.msp.odisha.gov.in ରେ ଆବେଦନ କରିପାରିବେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍ସିସି) ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର, ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି ।