ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇବେ

 

ଭୁବନେଶ୍ୱର:ନୂଆ ସରକାର ଆସିବା ପରେ ରାସନ କାର୍ଡକୁ ନେଇ ନୂଆ ତାଲିକା ହେବ । ରାଜ୍ୟ ସରକାର ଏନେଇ ମତ ରଖିଛନ୍ତି । ଖୁବ୍‌ ଶୀଘ୍ର ରାସନ୍ କାର୍ଡ ହିତାଧିକାରୀଙ୍କ ନୂଆ ତାଲିକା କରାଯିବ। ମାସେ ଭିତରେ ନୂଆ ହିତାଧିକାରୀ ରାସନ କାର୍ଡ ପାଇବେ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରାୟ ୮ ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ ପାଇପାରନ୍ତି ବୋଲି କହିଛନ୍ତି ମନ୍ତ୍ରୀ।

ନୂଆ ରାସନ କାର୍ଡ ପାଇଁ ମୋଟ ୬ ଲକ୍ଷ ୧୯ ହଜାର ୮୩୬ ପରିବାର ନୂଆ ଆବେଦନ କରିଛନ୍ତି । ନୂତନ ହିତାଧିକାରୀ କାର୍ଡ ପାଇବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଯେଉଁମାନେ ଯୋଗ୍ୟ ହିତାଧିକାରୀ ନୁହଁନ୍ତି ସେମାନଙ୍କୁ ବାଦ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।  ବର୍ତ୍ତମାନ କେୱାଇସି ଅପଡେଟ୍‌ କରିବା ପ୍ରକ୍ରିୟା ଜାରି ରହିଛି। ସେଥିମଧ୍ୟରୁ ୧୨ଟି ସ୍ବତଃ ଯୋଗ ହେବା ମାନଦଣ୍ଡ, ୧୦ ବାଦ ମାନଦଣ୍ଡ ନିର୍ଦ୍ଧାରିତ। ତଥ୍ୟାବଳୀକୁ ସ୍ବଚ୍ଛ ପାଇଁ ଆଧାର ଭିତ୍ତିକ ଇ-କେୱାଇସ ଯାଞ୍ଚ ଆରମ୍ଭ ହୋଇଛି।ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଘର ଘର ବୁଲି ଏବେ ସର୍ଭେ ଚାଲିଛି, ମାସେ ଭିତରେ ନୂଆ ତାଲିକା ଚୂଡ଼ାନ୍ତ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ରାଜ୍ୟରେ ରାସନ୍ କାର୍ଡ ପାଇବା ଅପେକ୍ଷାରେ ଅଛନ୍ତି ୬ ଲକ୍ଷରୁ ଅଧିକ ପରିବାର । ରାଜ୍ୟର ୬ ଲକ୍ଷ ୧୯ ହଜାର ୮୩୬ ପରିବାର ରାସନ୍ କାର୍ଡ ପାଇଁ ଆବେଦନ କରିବା ସହିତ ରାସନ୍ କାର୍ଡ ପାଇବାକୁ ଅପେକ୍ଷା କରି ବସିଛନ୍ତି । ଏନେଇ ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।ବୁଧବାର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଏ ସମ୍ପର୍କରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କେତେ ଖାଉଟି ଉପକୃତ ହେଉଛନ୍ତି? ଏଥିସହ ଏପର୍ଯ୍ୟନ୍ତ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ କେତେ ଜଣ ଅପେକ୍ଷାରତ ଅଛନ୍ତି?ଏହାର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ୯୨ ଲକ୍ଷ ୬୬ ହଜାର ୪୯୧ ପରିବାରର ୩,୨୫,୯୩,୮୭୫ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ ଲକ୍ଷ ୧୫ ହଜାର ୨୩୭ ପରିବାରର ୧୦,୦୨,୧୪୪ ହିତାଧିକାରୀ ଉପକୃତ ହେଉଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ୬ ଲକ୍ଷରୁ ଅଧିକ ପରିବାର ଆବେଦନ କରି ଅପେକ୍ଷାରେ ଅଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏଥିସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ପ୍ରକ୍ରିୟା ବି ଆରମ୍ଭ ହୋଇଛି। ବର୍ତ୍ତମାନ KYC ଅପଡେଟ କରାଯାଉଛି। ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେସବୁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ରାଶନ କାର୍ଡ ପାଇବା ପାଇଁ ପାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିବା ସୂଚନା ମିଳିଛି।