ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ଦେଖା ଦେଇଥିବା ବେଳେ ଅନେକ ସ୍ଥାନରେ ବର୍ଷା

ଭୁବନେଶ୍ବର : ଆଜି ସାରା ରାଜ୍ୟ‌କୁ ମୌସୁମୀ ଛୁଇଁଛି। ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ଦେଖା ଦେଇଥିବା ବେଳେ ଅନେକ ସ୍ଥାନରେ ବର୍ଷା ହୋଇଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବମୋଟ୍‌ ୨୧.୩ମିମି ବର୍ଷା ରେକର୍ଡ ହୋଇଛି। ଏହା ସ୍ବାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯% ଅଧିକ। ଏଥିସହ ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ୫୨.୮ମିମି ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବର୍ଷା ତୁଳନାରେ ୫୯୧% ଅଧିକ। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବ। ଶନିବାର ଦିନ କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲ‌ାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ବାଲେଶ୍ବର, ଭଦ୍ରକ, ‌‌କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଧା, ପୁରୀ, ନୟାଗଡ଼, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ଜିଲ୍ଲା‌ର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଏହି ସବୁ ଜିଲ୍ଲାରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।