ଓଡ଼ିଶା ଗସ୍ତ ପୂର୍ବରୁ ପୁଣିଥରେ ମୋଦୀଙ୍କ ବଡ ବୟାନ
ଜୁନ୍ ୪ରେ ବିଜେଡି ସରକାରର ଏକ୍ସପାଏରୀ ତାରିଖ ରହିଛି । ସେହିଭଳି ଜୁନ୍ ୧୦ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ କିଛି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ।୨୫ ବର୍ଷରେ ଓଡ଼ିଶାରେ କୌଣସି ପରିବର୍ତନ ହୋଇନାହିଁ । କିଛି ଗୋଷ୍ଠୀ ଓଡ଼ିଶାର ବ୍ୟବସ୍ଥାକୁ ବନ୍ଧକ କରି ରଖିଛନ୍ତି । ବନ୍ଧକରୁ ମୁକ୍ତ ହେଲେ ଓଡ଼ିଶା ହସିବ । ଓଡ଼ିଶାର ଭବିଷ୍ୟତକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି । ପ୍ରାକୃତିକ ସମ୍ପଦର ଭରପୁର ଓଡ଼ିଶା । ହେଲେ ସମୃଦ୍ଧ ରାଜ୍ୟର ଲୋକ ଗରିବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ଏଥିପାଇଁ ସରକାର ଦାୟୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାର ଲୋକଙ୍କୁ ସେମାନଙ୍କ ହକ୍ ମିଳିବା ଆବଶ୍ୟକ । ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ସହ ଓଡ଼ିଶାର ଅସ୍ମିତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମୋଦୀ । ନବୀନ ପଟ୍ଟନାୟଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସବୁ ନେତାଙ୍କ ସହ ତାଙ୍କ ସମ୍ପର୍କ ଭଲ । ଗଣତନ୍ତ୍ରରେ ଶତ୍ରୁତା ହୋଇନଥାଏ । ସମ୍ପର୍କକୁ ସମ୍ଭାଳିବେ ନା ଓଡ଼ିଶାର ଭାଗ୍ୟକୁ ନେଇ ଚିନ୍ତା କରିବେ । ତେଣୁ ଓଡ଼ିଶାର ଉଜ୍ୱଳ ଭବିଷ୍ୟତ ପାଇଁ ରାସ୍ତା ବାଛିଥିବା କହିଛନ୍ତି । ଏଥିପାଇଁ ତାଙ୍କ ସମ୍ପର୍କକୁ ଯଦି ବଳି ଚଢାଇବାକୁ ପଡ଼ିବ ତେବେ ଓଡ଼ିଶାର ହିତ ପାଇଁ ବଳି ଚଢାଇବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ