ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ବୁର୍ଲା ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଭୀମସାର ଏବଂ ବ୍ରହ୍ମପୁର ଏମ୍‌କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ବୁର୍ଲା ଭିମ୍‌ସାର୍‌ର ଡାକ୍ତରୀ ଛାତ୍ରମାନେ  ଉତ୍ସବ ମନାଇବା ପାଇଁ ବ୍ରହ୍ମପୁର ଏମ୍‌କେସିଜି ଛାତ୍ରମାନଙ୍କୁ ନିମନ୍ତ୍ରଣ କରି ଆକ୍ରମଣ କରିଛନ୍ତି। ସ୍ବାଗତ ଆଳରେ ଅଗ୍ନି ନିର୍ବାପକ ଗ୍ୟାସର ପ୍ରୟୋଗ ଯୋଗୁ ଅନେକ ଛାତ୍ର ଅଣନିଶ୍ବାସୀ ହୋଇଥିବା ଜଣାପଡ଼ିଛି।ବୁର୍ଲା ଭିମ୍‌ସାର, କଟକର ଏସ୍‌ସିବି ଏବଂ ବ୍ରହ୍ମପୁରର ଏମ୍‌କେସିଜିର ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିୟମିତ ଭାବେ ଅନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତା ‘ୟୁଫୋରିଆ’ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ୩ ବର୍ଷରେ ଥରେ ଏକ ମେଡିକାଲ କଲେଜକୁ ଆୟୋଜନ ଦାୟିତ୍ବ ମିଳିଥାଏ। ଚଳିତ ବର୍ଷ ବୁର୍ଲା ଭିମ୍‌ସାର୍‌ ‘ୟୁଫୋରିଆ’ ଆୟୋଜନ ଦାୟିତ୍ବ ମିଳିଥିଲା। ଗତ କିଛି ମାସ ହେଲା ଏଥିପାଇଁ ଭିମ୍‌ସାରରେ ପ୍ରସ୍ତୁତି ଚାଲିଥିଲା ବେଳେ ଆରମ୍ଭରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାକାର କେତେକ ବରିଷ୍ଠଙ୍କ ବିରୋଧରେ କେତେକ କନିଷ୍ଠ ଛାତ୍ର ଅଭିଯୋଗ ଆଣିଥିଲେ ହେଁ ଏହାର ଆପୋସ ସମାଧାନ ହୋଇଥିଲା। ଆଜି କିନ୍ତୁ ସବୁ ସୀମା ଲଂଘିଥିଲା। ଜୁଲାଇ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତା ପାଇଁ ଗତକାଲି ବ୍ରହ୍ମପୁରର ୬୫ ଜଣ ଏମ୍‌ବିବିଏସ୍‌ ଛାତ୍ର ବୁର୍ଲା ଅଭିମୁଖେ ବାହାରି ଥିଲେ। ୟୁଫୋରିଆରେ ୫ରୁ ୭ ତାରିଖ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବାବେଳେ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସବୁ ପ୍ରସ୍ତୁତି ସରିଥିଲା। ତେବେ ଏହା ପୂର୍ବରୁ ଗଣ୍ଡଗୋଳ ଘଟି ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।