ବାହାନଗା ଦୁର୍ଘଟଣାର ମାସେ ପରେ ବି ଶବ ପାଇନାହାଁନ୍ତି ପରିବାର ଲୋକ
ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାକୁ ମାସେ ବିତିଯାଇଛି । ତେବେ କିଛି ପରିବାର ଏପରି ଅଛନ୍ତି ଯେଉଁମାନେ ସେମାନଙ୍କ ପରିଜନଙ୍କ ଶବ ଏପରର୍ଯ୍ୟନ୍ତ ପାଇନାହାଁନ୍ତି । ନିଜ ଲୋକଙ୍କ ଶବ ପାଇଁ ଏବେ ବି ଅପେକ୍ଷା କରି ରହିଛନ୍ତି । ପଶ୍ଚିମବଙ୍ଗର ଶିବକାନ୍ତ ରାୟ ନିଜ ପୁଅ ବିପୁଲର ଶବକୁ ଖୋଜି ଖୋଜି ନୟାନ୍ତ ହୋଇଥିବା ବେଳେ ତାଙ୍କ ପୁଅଙ୍କ ଶବ ପାଇନଥିବା କହିଛନ୍ତି । ବାପା ଶିବକାନ୍ତଙ୍କ ମନ ବୁଝୁନାହିଁ ନିଜ 22 ବର୍ଷର ପୁଅର ଶବ ନଦେଖି ଘରକୁ ଯିବାପାଇଁ । ଶବ ଗୁଡିକୁ ବାଲେଶ୍ୱର ଓ ପରେ ଭୁବନେଶ୍ୱର ଅଣାଯାଇଥିଲା । ବିପୁଲଙ୍କ ଶବ କିମ୍ସ ଶବଗୃହରେ ରହିଥିବା ଖବର ପାଇଥିଲେ ପରିବାରଲୋକ । ଆଉ ଯେତେବେଳେ ଶବଟିକୁ ନେବା ପାଇଁ କିମ୍ସ ଆସିଲେ, ଜାଣିବାକୁ ପାଇଲେ ଶବ ନାହିଁ । ସେବେଠାରୁ ଖୋଜୁଛନ୍ତି କିନ୍ତୁ କିଛି ଉତ୍ତର ନାହିଁ । ସେହିପରି କୃଷ୍ଣ ରବିଦାସଙ୍କ ଶବ ପାଇନାହାଁନ୍ତି ତାଙ୍କ ପରିବାର ଲୋକ । ତାଙ୍କ ବଡ଼ ଭାଇ ମାସେ ହେଲା ଭୁବନେଶ୍ବରରେ ପଡ଼ି ରହିଛନ୍ତି । କୃଷ୍ଣ ରେଳ ଯାତ୍ରା ପୂର୍ବରୁ ଫଟୋ ଉଠାଇ ନିଜ ଫେସବୁକ ଆକାଉଣ୍ଟରେ ଅପଲୋଡ କରିଥିଲେ । ଦୁର୍ଘଟଣାର ଦୁଇ ଘଣ୍ଟା ପୂର୍ବରୁ ଘରକୁ ଫୋନ କରିଥିଲେ । କିନ୍ତୁ କିଏ ବା ଜାଣିଥିଲା ସେହି କଲ୍ ତାଙ୍କ ଜୀବନର ଶେଷ କଲ ହେବ । ସେହି ଫଟୋକୁ ଆଧାର କରି କୃଷ୍ଣଙ୍କ ବଡ଼ ଭାଇ ଶିବ ଚରଣ ରବିଦାସ ଖୋଜୁଛନ୍ତି କୃଷ୍ଣଙ୍କୁ କିନ୍ତୁ ପାଉନାହାଁନ୍ତି । ଡିଏନଏ ରିପୋର୍ଟ ଆସିନଥିବାରୁ ସାନ ଭାଇର ଶବ ନେଇ ପାରୁନାହାଁନ୍ତି ବଡ ଭାଇ । ମହମ୍ମଦ କରିମ ନିଜ ବଡ଼ ଭାଇଙ୍କ ଶବ ଖୋଜିବାକୁ ମାସେ ଧରି ଭୁବନେଶ୍ବରରେ ଅପେକ୍ଷା କରିଛନ୍ତି । ପଶ୍ଚିମବଂଗରୁ ଆସି ସେ ନିଜ ଭାଇଙ୍କ ଶବ ଚିହ୍ନଟ କରିବାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଶବ ଚିହ୍ନଟ କରିପାରିନାହାଁନ୍ତି । ସେ ମଧ୍ୟ ଡିଏନଏ ରିପୋର୍ଟକୁ ଅପେକ୍ଷା କରିଛନ୍ତି । ପଶ୍ଚିମବଂଗରୁ ଆସିଥିବା ଶ୍ୟାମାପଦ ବାଉରି ମଧ୍ୟ ନିଜ ଶଳାର ଶବ ପାଇଁ ଅପେକ୍ଷା କରିଛନ୍ତି । ତେବେ ତାଙ୍କୁ ମଧ୍ୟ ମିଳିପାରୁନାହିଁ ଶବ । ଏମ୍ସରେ ଥିବା ୮୧ ମୃତ ଦେହ ମଧ୍ୟରୁ ୭୮ ଜଣ ଦାବିଦାରଙ୍କର ଡିଏନଏ ପରୀକ୍ଷା ପାଇଁ ରକ୍ତ ନମୁନା ନିଆଯାଇଥିଲା। ସେଥିରୁ କିଛି ଡିଏନଏ ରିପୋର୍ଟ ମିଶିବା ପରେ ଶବକୁ ପରିବାର ଲୋକେ ନେଇଛନ୍ତି । ଏମିତି ଅନେକ ପରିବାର ଏବେ ରିପୋର୍ଟ ଅପେକ୍ଷାରେ ଭୁବନେଶ୍ବରରେ ଅଛନ୍ତି । କେବଳ ରିପୋର୍ଟକୁ ଅପେକ୍ଷା କରି ଚାହିଁ ବସିଛନ୍ତି ମୃତକଙ୍କ ପରିବାର ଲୋକ । ବାହାନଗା ରେଳ ଦୁର୍ଘଟଣା ଏହି ପରିବାରଙ୍କ ଦୁଃଖ ବଢ଼ାଇଦେଇଛି । ଦୁଃଖ ଭିତରେ ନିଜ ଲୋକଙ୍କୁ ହରାଇ ସେମାନେ ପୁଣି ଅପେକ୍ଷା କରିଛନ୍ତି କେବେ ମିଳିବ ଡିଏନଏ ରିପୋର୍ଟ ଆଉ କେବେ ପାଇବେ ଶବ ।