୫ଟି ସଚିବଙ୍କ ଜିଲ୍ଲାଗସ୍ତ: କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ବର: ୫ଟି ସଚିବ ଭି. କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ । ଚା ଖଟିରୁ ବିଜେପି , କଂଗ୍ରେସ କାର୍ଯ୍ୟାଳୟ ପଡ଼ୁଛି ଉଠୁଛି । ବିଜେଡି ବିକାଶ କଥା କହୁଥିବା ବେଳେ କଂଗ୍ରେସ , ବିଜେପି ଏହା ନିୟମ ବାହାରେ ବୋଲି କହୁଛନ୍ତି । ଏହାରି ଭିତରେ ସଚିବଙ୍କ ନାଁରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ। ୫ଟିଙ୍କ ଗସ୍ତକୁ ନେଇ ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଦାବି ଜଣାଇଛନ୍ତି ବିଜୟ। ଉକ୍ତ ଚିଠିରେ ସେ ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଛନ୍ତି। ଏନେଇ ଚିଠିରେ ନିୟମ ଉଲ୍ଲଂଘନର ଏକାଧିକ ଉଦାହରଣ ବି ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ବିଜୟ ପଟ୍ଟନାୟକ। ୫ଟି ସଚିବ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ସାଧାରଣରେ ଅନୁଦାନ ମଞ୍ଜୁର କଥା ଘୋଷଣା କରୁଛନ୍ତି। ଖାଲି ସେତିକି ନୁହେଁ, ୫ଟି ସଚିବ ଭି. କେ. ପାଣ୍ଡିଆନ ନିଜର ବିଭିନ୍ନ ଅଞ୍ଚଳ ଗସ୍ତର ଫଟୋ ମଧ୍ୟ ସେଆର୍ କରୁଛନ୍ତି। ସେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ମୁଖ୍ୟମନ୍ତ୍ରୀ ତାଙ୍କ ପଠାଇଥିବା କଥା ନେଇ ଘୋଷଣା କରୁଛନ୍ତି। ପୂର୍ବରୁ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଅଭିଯୋଗ କରି ଚିଠି ଲେଖିଥିଲେ । ତେବେ ଏଭଳି କଥାକୁ ନେଇ ବିଜେଡି କହିଛି ରାଜ୍ୟ ବିକାଶ କରୁଛି ବିରୋଧୀଙ୍କ ଦେହରେ ତାହା ସହ୍ୟ ହେଉନାହିଁ ।