ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର’ : ବିଜେଡି

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡକୁ ନେଇ ବିଜେପିକୁ କଡା ଜବାବ ଦେଇଛି ବିଜେଡି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମତକୁ ସମାଲୋଚନା କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ର ବୟାନ ଆଶ୍ଚର୍ଯ୍ୟକର ବୋଲି ସସ୍ମିତ ପାତ୍ର କହିଛନ୍ତି । ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ ପ୍ରଶଂସା କରିବା ଦରକାର । ଏହା ବଦଳରେ ଏଭଳି ବୟାନବାଜି କରି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।  ତାଳଚେର ଏମସିଏଲରେ ଚାଲିଥିବା ଦୁର୍ନୀତିକୁ ଅନୁଧ୍ୟାନ କଲେ ଭଲ ହେବ ବୋଲି ସସ୍ମିତ କହିଛନ୍ତି । କଳାହାଣ୍ଡିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦେଇଥିବା ଭାଷଣ ଦଳୀୟ ନେତା ଓ କର୍ମୀଙ୍କ ପାଇଁ ଥିଲା  । ରାଜ୍ୟରେ ବିଜେପିର ସ୍ଥିତି ଦେଖି ହତୋତ୍ସାହିତ ହୋଇଛନ୍ତି ବିଜେପି ନେତା  । ବିଭିନ୍ନ ଉପନିର୍ବାଚନର ଫଳାଫଳ ସହ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିର ଶୋଚନୀୟ ସ୍ଥିତି ଦେଖି ନିରୁତ୍ସାହିତ ଥିବା ବିଜେପି ନେତାଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି ଜେପି ନଡ୍ଡା  । ପ୍ରେସରିଲିଜ ଜରିଆରେ ଏଭଳି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକଙ୍କୁ ମିଳୁଥିବା ୫ କେଜି ଚାଉଳ କାହିଁକି ବନ୍ଦ ହେଲା ବୋଲି ବିଜେପି ସରକାର ଉତ୍ତର ଦେବା କଥା  ବୋଲି ସସ୍ମିତ ପାତ୍ର କହିଛନ୍ତି  । ପ୍ରଧାନମନ୍ତ୍ରୀ ଆଓ୍ବାସ ଯୋଜନା  ମାଧ୍ୟମରେ ୭ ଲକ୍ଷ ଘର ମିଳିବାର ଥିଲେ ମଧ୍ୟ ରାଜ୍ୟ ବିଜେପି ଷଡ଼ଯନ୍ତ୍ର ପାଇଁ ଲୋକଙ୍କୁ ଘର ମିଳିନଥିଲା  । ସେ ବିଷୟରେ ଜବାବ ଦେବା କଥା ବୋଲି ସସ୍ମିତ କହିଛନ୍ତି  ।

ଏହା ସହ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତର କୌଣସି ପ୍ରଭାବ ରାଜ୍ୟବାସୀଙ୍କ ଉପରେ ପଡ଼ିବନି ବୋଲି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି  ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆର୍ଶୀବାଦ ରହିଛି । ତେଣୁ ବିଜେପି ଯେତେ ମିଥ୍ୟା ପ୍ରଚାର କଲେ ତାହାର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡ଼ିବନି ବୋଲି ସେ କହିଛନ୍ତି । ବିରୋଧୀଙ୍କ କାମ ବିରୋଧ କରିବା।  ମୋ ହସ୍ପିଟାଲ କାର୍ଯ୍ୟକ୍ରମରେ ୧୪୭ ଡାକ୍ତରଖାନାର ତିଆରି ହୋଇଛି। ଡାକ୍ତର ନିଯୁକ୍ତି ବଢିଛି। ଆୟୁଷ୍ମାନ ଯୋଜନାରେ ଲୋକ ହଇରାଣ ହେଉଛନ୍ତି । ସେହିପରି ଆବାସ ଯୋଜନାରେ ଦୁର୍ନୀତି ହୋଇ ନାହିଁ। ଗାଇଡଲାଇନ ହିସାବରେ ଘର ବଣ୍ଟା ଯାଉଛି ବୋଲି ସେ କହିଛନ୍ତି ।