ଓଡ଼ିଶାରେ ବନାଗ୍ନି ଦେଶରେ ସର୍ବାଧିକ
ରାଜ୍ୟରେ ହୁହୁ ହୋଇ ବଢ଼ୁଥିବା ଜଙ୍ଗଲ ନିଆଁ ନେଇ ଗଭୀର ଚିନ୍ତାବ୍ୟକ୍ତ କରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷାକ କରି ପତ୍ର ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ପତ୍ରରେ ରାଜ୍ୟରେ ବନାଗ୍ନି ସାରା ଦେଶରେ ଶୀର୍ଷରେ ଥିବା ସହ ରାଜ୍ୟର ଜଙ୍ଗଲ ସମ୍ପଦ, ଜୈବ ବିବିଧତା, କୃଷକ ଓ ଆଦିବାସୀଙ୍କ ଅର୍ଥନୀତି ଉପରେ କୁପ୍ରଭାବ ନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି । ଏହା ସହ ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ପାଇଁ ମିଳିତ ବୈଠକ ଓ ଆଗାମୀ ଦିନରେ ମୁକାବିଲାର ଯୋଜନା ପ୍ରସ୍ତୁତ ପାଇଁ ଶ୍ରୀ ଯାଦବଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି ।
ଶ୍ରୀ ପ୍ରଧାନ, ଜଙ୍ଗଲ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନଭେମ୍ବର 2022ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ 871ଟି ବଡ଼ ଧରଣର ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଏହା ସାରା ଦେଶରେ ବନାଗ୍ନି ମାମଲାରେ ସର୍ବାଗ୍ରେ ରହିଛି । ଶ୍ରୀ ପ୍ରଧାନ ପତ୍ରରେ ସରକାରୀ ତଥ୍ୟ ଉଲ୍ଲେଖ କରି ଲେଖିଛନ୍ତି, ଓଡ଼ିଶା ପଛକୁ କର୍ଣ୍ଣାଟକ, ତେଲଙ୍ଗାନା ଓ ମଧ୍ୟ ପ୍ରଦେଶ ଭଳି ରାଜ୍ୟ ଅଛନ୍ତି ।
ଗତ 24 ଘଣ୍ଟାରେ ରାଜ୍ୟରେ 1625ଟି ବନାଗ୍ନିର ଖବର ସାମ୍ନାକୁ ଆସିଛି । ଓଡ଼ିଶାର ଏହି ଜଙ୍ଗଲ ନିଆଁ ଦେଶର ମୋଟ ଜଙ୍ଗଲ ନିଆଁର 35 ପ୍ରତିଶତ ବୋଲି ଆକଳନ କରାଯାଇଛି । ବିଗତ ଚାରି ମାସରେ ରାଜ୍ୟରେ ଜଙ୍ଗଲ ନିଆଁ କାରଣରୁ ଚାରି ହଜାର ହେକ୍ଟର ନଷ୍ଟ ହୋଇଥିବା ଆକଳନ କରାଯାଇଛି ।
2021 ମସିହାରେ ଜଙ୍ଗଲ ନିଆଁ ରାଜ୍ୟରେ ବହୁତ ବଡ଼ ଧରଣର ଥିଲା । ରାଜ୍ୟରେ 51 ହଜାର 968ଟି ଘଟଣା ସେହି ବର୍ଷ ସାମ୍ନାକୁ ଆସିଥିଲା । ଶିମିଳିପାଳ ଜାତୀୟ ଉଦ୍ୟାନ ଏହା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଚଳିତ ବର୍ଷ 2021 ମସିହା ଠାରୁ ସ୍ଥିତି ଆହୁରି ସଙ୍ଗୀନ ହେବା ଭଳି ଜଣାପଡ଼ୁଛି ବୋଲି ଶ୍ରୀ ପ୍ରଧାନ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।