ନୂଆଦିଲ୍ଲୀରେ ପ୍ରତିଷ୍ଠା ହେବ ଅମୃତ ବାଟିକା,ମାଟି କଳସ ଯାତ୍ରାର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅବସରରେ ‘ମାଟି କଳସ ଯାତ୍ରା’ର ଶୁଭାରମ୍ଭ କରିଛନ୍ତି। ଦେଶ ତଥା ରାଜ୍ୟର ସବୁ ପଞ୍ଚାୟତରୁ ସଂଗୃହିତ ପବିତ୍ର ମାଟିରେ ନୂଆଦିଲ୍ଲୀରେ ଏକ ଅମୃତ ବାଟିକା ପ୍ରତିଷ୍ଠା କରାଯିବ।  ନୂଆଦିଲ୍ଲୀ ଅଭିମୁଖେ ଏହି ମାଟି କଳସ ଯାତ୍ରା ଆରମ୍ଭ ହେବ । ୭୫ତମ ସ୍ୱାଧୀନତା ଦିବସ ପାଳନର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅବସରରେ  ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ‘ମେରି ମାଟି ମେରା ଦେଶ’ର ରାଜ୍ୟସ୍ତରୀୟ ସମାପନ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଆମର ପୂଜ୍ୟ ଶହୀଦ ଓ ସଂଗ୍ରାମୀମାନଙ୍କ ଅବଦାନ ଅଧିକ । ସେମାନେ ଆମ ମାନସପଟ୍ଟରେ ଚିରଦିନ ପାଇଁ ଅମର ହୋଇ ରହିବେ।  ଓଡିଶା ହେଉଛି ପୁଣ୍ୟ ଭୂମି। ଏ ମାଟିରେ ଦେଶର ସ୍ୱାଧୀନତା ତଥା ମାତୃଭୂମିର ଗୌରବ ପାଇଁ ଅନେକ ବୀର ଶହୀଦ ହୋଇଛନ୍ତି। ସେହି ବୀର ମାଟିର ସମ୍ମାନାର୍ଥେ ଆୟୋଜିତ ଏହି ମାଟି କଳସ ଯାତ୍ରା ଆମ ସମସ୍ତଙ୍କୁ ଦେଶର ଏକତା ଓ ଅଖଣ୍ଡତା ପାଇଁ କାମ କରିବାକୁ ପ୍ରେରଣା ଯୋଗାଇବ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏପରି ଏକ ମହତ କାର୍ଯ୍ୟକ୍ରମର ପରିକଳ୍ପନା ପାଇଁ ଧନ୍ୟବାଦ ଦେବା ସହ ଏହି ସମସ୍ତ ପୁଣ୍ୟ ମାଟିର ସମାହାରରେ ନୂଆଦିଲ୍ଲୀରେ ନିର୍ମିତ ଅମୃତ ବାଟିକା ଆଗାମୀ ଦିନରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତୀର୍ଥ ସ୍ଥଳରେ ପରିଗଣିତ ହେବ ବୋଲି କହିଥିଲେ । ଏହି ଅମୃତ ବାଟିକା ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମକୁ ଜାଗ୍ରତ କରିବା ସହ ଆଗାମୀ ପୀଢିକୁ ସଂଗ୍ରାମୀମାନଙ୍କର ତ୍ୟାଗ ଓ ବଳୀଦାନର ମୂଲ୍ୟବୋଧ ସମ୍ପର୍କରେ ଅବଗତ କରାଇବ ବୋଲି ସେ କହିଥିଲେ।