ଅଲିଭରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନରେ ଉପକୂଳରେ ନିଆର ଅନୁଭବ

ରାଜନଗର : ବିରଳ ଅଲିଭରିଡଲେ କଇଁଛ ଏବେ ଉପକୂଳ ମୁହାଁ ।  କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି। କୂଳଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା ଅଲିଭରିଡ୍‌ଲେ ଭିଡ ଜମାଇଥିଲେ। ପାଗ ଅନୁକୂଳ ହେଉ ନ ଥିବାରୁ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହେଉନଥିଲେ। ଗତ ୯ ତାରିଖଠାରୁ ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବୋହିବାରୁ ଗୋଟିଏ ଦିନରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଗତକାଲି ସଂଧ୍ୟାରୁ ହଠାତ୍ ଦଳ ଦଳ ହୋଇ କଇଁଛମାନେ ଗହୀରମଥାର ନାସୀ–୨ ବାଲୁକା ଶଯ୍ୟାକୁ ଉଠି ସମୂହ ଅଣ୍ଡାଦାନରେ ସାମିଲ ହୋଇଥିଲେ।