ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ

ଆନନ୍ଦପୁର: ନକ୍ସଲ ଗୁଳିରେ ସହିଦ୍ ହୋଇଥିବା ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯାଇଛି ଅନ୍ତିମ ସଂସ୍କାର।  ସହିଦ୍ ଯବାନଙ୍କ ମରଶରୀର ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ପୂର୍ବାହ୍ନ ସାଢେ ନଅଟାରେ ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏକ ବିଶାଳ ଶୋଭାଯାତ୍ରା ଘସିପୁରା, ଶାଳପଡା, ଆନନ୍ଦପୁର ବ୍ରିଜ ଛକ, ବଡ଼ଦାଣ୍ଡ ଦେଇ ମରଶରୀର ୬ ନମ୍ବର ୱାର୍ଡରେ ଥିବା ତାଙ୍କ ଘରେ ପହଞ୍ଚିଥିଲା। ତାଙ୍କ ଘରେ ପରିବାର ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ବୈତରଣୀ ନଦୀକୂଳ ଶ୍ମଶାନକୁ ନିଆ ଯାଇଥିଲା।   ଗତକାଲି ଝାଡ଼ଖଣ୍ଡରେ ନକ୍ସଲ ଆକ୍ରମଣରେ ସହିଦ ହୋଇଛନ୍ତି ଓଡ଼ିଆ ମାଟିର ପୁଅ ବୀର ସୁଶାନ୍ତ । ଛାତିରେ ୭ଟି ଗୁଳି ବାଜିବା ପରେ ସେ ଯୁଦ୍ଧଭୂମିରେ ବୀରଗତି ପ୍ରାପ୍ତ ହୋଇଥିଲେ ।  ସୁଶାନ୍ତ ୨୦୧୧ ମସିହାରୁ ସିଆରପିଏଫ୍ ଯବାନ ଭାବେ ନିଯୁକ୍ତି ପାଇଥିବା ବେଳେ ଦୁଇ ମାସ ପୂର୍ବେ ବିବାହ କରିଥିଲେ। ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ଦୁଇ ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ଏବେ ତାଙ୍କ ଘରେ ମୁରବୀ କହିଲେ କେହି ନାହାନ୍ତି।