ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୩ କାଲିଠୁ ଆରମ୍ଭ

ଆସନ୍ତାକାଲିଠୁ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୩ । ନିବେଶରେ ନୂଆ ଇତିହାସ ଲକ୍ଷ୍ୟ । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ବିଶ୍ବ । ନେତୃତ୍ବ ନେବେ ନବୀନ । ଆସିବ ପୁଞ୍ଜି, ମିଳିବ ରୋଜଗାର । ୨୦୧୬ ଓ ୨୦୧୮ ପରେ ଆୟୋଜିତ ହେଉଥିବା ଏହି ତୃତୀୟ ସଂସ୍କରଣ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିପାଇଁ ସଜେଇ ହୋଇଛି ଜନତା ମଇଦାନ । ପୂର୍ବ ୨ ସମ୍ମିଳନୀର ସଫଳତାକୁ ଦେଖିଲେ ଆଗାମୀ ସମ୍ମିଳନୀ ଏକାଧିକ କୀର୍ତ୍ତିମାନ ରଚିବ ବୋଲି ମତପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ଓ ନିବେଶକ ମାନେ ବେଶ ଉତ୍ସାହିତ ଅଛନ୍ତି । ବହୁପ୍ରତିକ୍ଷିତ ଏହି ନିବେଶକ ସମ୍ମିଳନୀ ବିଶ୍ବ ସମୁଦାୟ ଆଗରେ ଓଡ଼ିଶା ରୂପାନ୍ତରଣ କାହାଣୀ ବତାଇବ । ତାସହ ଓଡ଼ିଶାରେ ଭରି ରହିଥିବା ସମ୍ଭାବନାକୁ ଉଜାଗର କରିବ । ଖଣି ଓ ଜଳସମ୍ପଦ ଭରି ରହିଥିବା ବେଳେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଓଡ଼ିଶାକୁ ନିୟମିତ ପୁଞ୍ଜି ନିବେଶ ଆସୁଛି । କୋଭିଡ଼ ମହାମାରି ବେଳେ ବି ପ୍ରସ୍ତାବ ଆସିଥିଲା ।

ଖୋଦ୍‌ ମୁଖ୍ୟମନ୍ତ୍ରୀ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ଥିବା ଶିଳ୍ପ ସମ୍ଭାବନା ନେଇ ଅବଗତ କରାଇବା ସହ ଓଡ଼ିଶାରେ ନିବେଶ ପାଇଁ ଆକର୍ଷିତ କରୁଛନ୍ତି । ଆଜିଠୁ ଅତିଥିଙ୍କ ଆଗମନ ହେବ । ପ୍ରତ୍ୟେକ କ୍ଷେତ୍ରରେ ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ଶିଳ୍ପକୁ ପ୍ରୋତ୍ସାହନ ଲାଗି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ନେଇ ସୂଚିତ କରିବେ । ରାଜ୍ୟକୁ ପୁଞ୍ଜିନିବେଶ ଆଣିବାକୁ ଚଳିତ ବର୍ଷ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଓ ହାଇଦ୍ରାବାଦରେ ସମ୍ମିଳନୀ କରି ନିବେଶକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ।