ଆରମ୍ଭ ହେବାକୁ ଯାଉଛି ଜନତା ମଇଦାନରେ ପୁଞ୍ଜି ନିବେଶର ମହାକୁମ୍ଭ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ରାଜଧାନୀରେ ଦେଶ ବିଦେଶର ପ୍ରମୁଖ ଶିଳ୍ପପତିଙ୍କ ଭିଡ଼ । ଜନତା ମୈଦାନରେ ପୁଞ୍ଜି ନିବେଶର ମହାକୁମ୍ଭ ମେକ-ଇନ୍-ଓଡ଼ିଶା କନକ୍ଲେଭ ତୃତୀୟ ସଂସ୍କରଣ ସନ୍ଧ୍ୟାରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଆଉ କିଛି ସମୟ ପରେ କନକ୍ଲେଭର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ ଦିନିଆ ମେଗା ବିଜନେସ୍ ସମିଟରେ ଯୋଗଦେବା ପାଇଁ ଏବେ ସୁଦ୍ଧା ୧୧ହଜାରରୁ ଅଧିକ ପଂଜୀକରଣ ହୋଇଥିବା ଜଣାପଡିଛି । ମୋଟ୍ ୩୮ଟି ଇଭେଣ୍ଟ ର କାର୍ଯ୍ୟସୂଚୀ ଏଥିରେ ସ୍ଥାନପାଇଛି ।

ଓଡ଼ିଶାରେ ବଡ଼ ନିବେଶ ପାଇଁ ଏଥର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏନେଇ ବର୍ଷସାରା ପ୍ରସ୍ତୁତି ଚଳାଇଥିଲେ ମୁଖ୍ୟମନ୍ତ୍ରୀ । ମେଟାଲ, ମିନେରାଲ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଫୁଡ୍ ପ୍ରସେସିଙ୍ଗ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରର ବିଶିଷ୍ଟ ଶିଳ୍ପପତିମାନେ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ୧୩୦ରୁ ଅଧିକ ବଡ଼ ଓ ମଧ୍ୟମ ଶିଳ୍ପପତି ଏହି କନକ୍ଲେଭରେ ନିଜର ମତାମତ ରଖିବେ । ସେମାନଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ବାଲ, ସଜ୍ଜନ ଜିନ୍ଦଲ, ଟାଟା ଷ୍ଟିଲ MD ଟିଭି ନରେନ୍ଦ୍ରନ, JSPL ମୁଖ୍ୟ ନବୀନ ଜିନ୍ଦଲ ପ୍ରମୁଖ ।