ଶରତଙ୍କୁ ସସ୍ପେଣ୍ଡ କଲା ବିଜେଡି: ନାବାଳିକାଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ
ମାହାଙ୍ଗା :ନାବାଳିକା ମୃତ୍ୟୁ ଘଟଣାରେ ବିଜେଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦଳ ପକ୍ଷରୁ ଶରତ ନାୟକଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଶରତ ପୂର୍ବରୁ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ । ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ନେଇ ଶରତଙ୍କର ଏକ ଅଡିଓ ଭାଇରାଲ ହେବାପରେ ଦଳ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଖେଳ ଶିକ୍ଷକଙ୍କ ମା’ଙ୍କ ସହ ତାଙ୍କର କଥାବାର୍ତ୍ତା ଭାଇରାଲ ହୋଇଛି। ଅଡିଓରେ ମାମଲା ରଫାଦଫା ପାଇଁ ସେ ୭୦ ହଜାର ମାଗୁଥିବା ଶୁଣିବାକୁ ମିଳିବା ପରେ ବିଜେଡିକୁ ବିରୋଧୀମାନେ ଟାର୍ଗେଟ କରିଥିଲେ । ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢୁଥିଲା ବେଳେ କଣ ପାଇଁ ଆତ୍ମହତ୍ୟା କଲେ ନା ତାଙ୍କୁ କିଏ ମାରି ଝୁଲାଇ ଦେଇଛି ତାକୁ ନେଇ ଏବେ ତଦନ୍ତ ଚାଲିଛି । ୨ ମାସ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏବେ ଏକ ଅଡିଓ ଓ ଚିଠି ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଏ କହୁଛି ପ୍ରେମକୁ ନେଇ ନାବାଳିକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତ ଆଉ କେହି ତାଙ୍କୁ ହତ୍ୟା କରାଯାଇଥିବା କହୁଛନ୍ତି । ମୃତ୍ୟୁ ପଛର ସତକୁ ଚାପି ଦେବାକୁ ମିଳିତ ଷଡ଼ଯନ୍ତ୍ର ହୋଇଥିବା ବିରୋଧୀମାନେ କହିଲେଣି । ମାମଲାର ରଫାଦଫା ନେଇ ଶରତ ନାୟକଙ୍କ ଅଡିଓ ଭାଇରାଲ ହେବା ପରେ ଥାନା ଠାରୁ ଆରମ୍ଭ କରି ରାଜନୀତିକ ଦଳମାନେ ବିଜେଡିକୁ ଟାର୍ଗେଟ କରିଥିଲେ । ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲ୍ କ୍ରୀଡ଼ା ଶିକ୍ଷକ ଅନୁପମ ରାୟଙ୍କୁପୋଲିସ ପଚରାଉଚୁରା କରିଛି । କ୍ରୀଡ଼ା ଶିକ୍ଷକ ଓ ତାଙ୍କ ମା’ଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି। କାରଣ ସନ୍ଦେହଜନକ ଅବସ୍ଥାରେ ପ୍ରାଣ ହରାଇଥିବା ଏହି ଛାତ୍ରୀଙ୍କ ସହ ସଂପୃକ୍ତ କ୍ରୀଡ଼ା ଶିକ୍ଷକଙ୍କର କୁଆଡ଼େ ପ୍ରେମ ସଂପର୍କ ଥିଲା ବୋଲି ଚର୍ଚା ହେଉଛି। ବିନା ପୋଷ୍ଟମର୍ଟମରେ ମୃତଦେହକୁ ପୋଡ଼ିବା, ଅର୍ଦ୍ଧଦଗ୍ଧ ଶରୀର ଓ ପାଉଁଶକୁ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ନଦୀରେ ଭସାଇଦେବା କୁ ବିରୋଧୀମାନେ ଉଠାଉଛନ୍ତି ।