ପାର୍ବଣରେ ରାଜଧାନୀରେ ମାତିଛନ୍ତି ରାଜ୍ୟ ବାହାର ଲୁଟେରା

ପାର୍ବଣରେ ରାଜଧାନୀରେ ମାତିଛନ୍ତି ରାଜ୍ୟ ବାହାର ଲୁଟେରା । ଲୁଟ୍‌ପାଟ କରି ଆତଙ୍କ ଖେଳାଇ ଚାଲିଛନ୍ତି । ଗତ ୨ ଦିନରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ଓ ମାର୍କେଟରୁ ୩୩ ମୋବାଇଲ ଓ ୪ ସୁନାଚେନ୍‌ ଲୁଟି ନେଇଥିବା ଜଣାପଡ଼ିଛି । ଏ ନେଇ ନୂଆପଲ୍ଲୀ, ଖଣ୍ଡଗିରି, ସହିଦନଗର, ମଞ୍ଚେଶ୍ୱର, ଲକ୍ଷ୍ମୀସାଗର, କ୍ୟାପିଟାଲ, ଶ୍ରୀଲିଙ୍ଗରାଜ, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଥାନାରେ ଅଭିଯୋଗ ହୋଇଛି । ପୂଜା ମଣ୍ଡପରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି କମିଶନରେଟ୍‌ ପୁଲିସ ଲୁଟେରାଙ୍କୁ ଧରିବାକୁ ତନାଘନା ଚଳାଇଛି ।

ପାର୍ବଣରେ ଲୁଟ୍‌ପାଟ ପାଇଁ ରାଜଧାନୀରେ ଡେରା ପକାଇଛନ୍ତି ରାଜ୍ୟ ବାହାର ଲୁଟେରା ଦଳ । ରେଳ ଷ୍ଟେସନ ଠାରୁ ଆରମ୍ଭ କରି ବସ୍‌ଷ୍ଟାଣ୍ଡ୍‌, ପୁଟ୍‌ପାଥ୍‌ରେ ଆଶ୍ରୟ ନେଇଛନ୍ତି । ବିଶେଷ କରି ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡର ଲୁଟେରା ଗ୍ୟାଙ୍ଗ୍‌ ଆସି ଭୁବନେଶ୍ୱର ରେଳ ଷ୍ଟେସନ, ପଟିଆ ରେଳ ଷ୍ଟେସନ, ବରମୁଣ୍ଡା ଓ ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡ, ବିଭିନ୍ନ ବସ୍ତିରେ ଘରଭଡ଼ା ନେଇ ରହିଛନ୍ତି । ପିଲାଛୁଆ ଧରି ଏମାନେ ଆସିଥିବା ଜଣାପଡ଼ିଛି । ମହିଳା ଲୁଟେରା ଓ ଛୁଆପିଲାମାନେ ପୂଜା ମଣ୍ଡପ ଗହଳି, ମାର୍କେଟ, ବିଭିନ୍ନ ମଲ ନିକଟରୁ ଜନଗହଳିର ସୁଯୋଗ ନେଇ ଲୁଟ୍‌ କରୁଛନ୍ତି । ସେହିପରି ପୁରୁଷ ଲୁଟେରାମାନେ ଦିନରେ ଫେରି ବେପାର କରିବା ସହ ଲୋକେ ରହୁନଥିବା ଘରକୁ ଟାର୍ଗେଟ କରୁଛନ୍ତି । ରାତି ହେଲେ ତାଲା ଭାଙ୍ଗି କଳାକନା ବୁଲାଇ ଦେଉଛନ୍ତି । ଏହି ଗ୍ୟାଙ୍ଗ୍‌ ଚୋରି ଓ ଲୁଟ୍‌ ସାମଗ୍ରୀକୁ ସଙ୍ଗେ ସଙ୍ଗେ ନିଜ ରାଜ୍ୟକୁ ପଠାଇ ଦେଉଛନ୍ତି । ସେଠାରେ ଗ୍ୟାଙ୍ଗ୍‌ର ଅନ୍ୟ ସଦସ୍ୟମାନେ ତାକୁ ବିକ୍ରି କରୁଥିବା ଜଣାପଡ଼ିଛି ।