ଆଜି ୩ ଲୋକ ସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ପୁଣି ପ୍ରଚାର ମଇଦାନକୁ ଓହ୍ଲାଇବେ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକ ସଭା କ୍ଷେତ୍ର ମଧ୍ୟରୁ ୩ଟି ଲୋକ ସଭା କ୍ଷେତ୍ରରେ ନବୀନ ପ୍ରଚାର କରିବେ। କୋରାପୁଟ ଲୋକ ସଭା କ୍ଷେତ୍ରର କୋରାପୁଟ, ରାୟଗଡ଼ା ସହ ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ ମାଗିବେ ।
ପୂର୍ବାହ୍ନ ୧୦ଟାରେ କୋରାପୁଟରେ ପହଞ୍ଚି ଜନସଭାକୁ ସେ ଉଦ୍‌ବୋଧନ ଦେବେ। ଏହାପରେ ୧୧ଟା ୪୦ରେ ନବରଙ୍ଗପୁରରେ ପହଞ୍ଚି ପ୍ରଚାର କରିବେ ।
ସେଠାରୁ ରାୟଗଡ଼ାରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଅପରାହ୍ନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପାରଳାଖେମୁଣ୍ଡିରେ ଜନସଭାକୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିବେ ।ପ୍ରଥମ ପର୍ଯ୍ୟାୟ ମତଦାନ ୧୩ ତାରିଖରେ ରହିଛି । ୧୧ରେ ଶେଷ ହେଉଛି ପ୍ରଚାର । ୪ ଲୋକସଭା ଏବଂ ୨୮ ବିଧାନସଭାରେ ମତଦାନ ପୂର୍ବରୁ ତିନି ଦଳ ଜୋରଦାର ପ୍ରଚାର କରୁଛନ୍ତି । ଗତକାଲି କଂଗ୍ରେସ ପକ୍ଷରୁ ରାୟଗଡାରେ ବିରାଟ ସମାବେଶ କରାଯାଇଥିଲା । ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ ଆଭାସୀ ଜରିଆରେ ସମ୍ବୋଧନ କରିଥିଲେ ।