ଅଭିଯୁକ୍ତଙ୍କୁ ଥାନାକୁ ନେଲା ବେଳେ ପୋଲିସ ଉପରକୁ ଢେଲା ପଥର ମାଡ,୧୪୪ ଧାରା ଜାରି
ନିର୍ବାଚନ ସମୟରେ ଅଶାନ୍ତ ହେଉଛି ନିର୍ବାଚନୀ ହିଂସା । ଖଲ୍ଲିକୋଟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଥାନାକୁ ନେଲାବେଳେ ଘେରିଲେ ଗାଁ ଲୋକେ । ପୋଲିସ ଗାଡି ଉପରକୁ କରିଛନ୍ତି ବୋତଲ ଓ ଢେଲା ମାଡ । ଏଥିରେ ପୋଲିସ ଭ୍ୟାନର କାଚ ଭାଙ୍ଗି ଯାଇଛି । ପରବର୍ତ୍ତି ମୁହୁର୍ତ୍ତରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଛି ।ଉତେଜନାକୁ ଦୃଷ୍ଟିରେ ରଖି ଖଲ୍ଲିକୋଟ ଥାନାର ଶହେ ମିଟର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।
ସୁଚନା ଅନୁଯାୟୀ ଖଲ୍ଲିକୋଟ ହିଂସା ଘଟଣାକୁ ନେଇ ଲାଗିରହିଛି ଉତେଜନା । ଘଟଣାରେ ପୋଲିସ ୮ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି । ସେପଟେ ଖଲ୍ଲିକୋଟରେ ପ୍ରାକ ନିର୍ବାଚନ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଗଞ୍ଜାମରେ ହିଂସା ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସିଇଓ । ଗତକାଲି ରାତିରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାହଣି ହେବାରୁ ବିଜେପି କର୍ମୀ ଦିଲୀପ ପାହାନଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଗୁରୁତର ହୋଇ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।