ଝାରସୁଗୁଡ଼ା ଉପନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି, ଯୁବ ଭୋଟରଙ୍କ ଉପରେ ସବୁ ଦଳର ନଜର

ଝାରସୁଗୁଡ଼ା :  ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତିନି ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ନିର୍ବାଚନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।ଆଜିଠୁ ଏପ୍ରିଲ ୨୦ ତାରିଖ ଯାଏଁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଏପ୍ରିଲ ୨୧ରେ ଯାଞ୍ଚ ହେବ , ୨୪ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ । ମେ ୧୦ରେ ଭୋଟ୍‌ ଏବଂ ୧୩ରେ ହେବ ଗଣତି   । ସେପଟେ କିଏ  ବାଜିମାତ୍‌ କରିବ ତାକୁ ନେଇ ଚାରିଆଡ଼େ ଆଲୋଚନା ହେଉଛି। ଯୁବ ଭୋଟର ଏବଂ ମହିଳା ଭୋଟରଙ୍କୁ ଆକୃ୍ଷ୍ଟ କରିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ନଜର ରଖିଛନ୍ତି ।  ସମସ୍ତେ ଭୋଟରଙ୍କ ଘରମୁହାଁ ହୋଇଛନ୍ତି ।

ଏଥର ଉପନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୨୧ ହଜାର ୯୯୮ ଜଣ ଭୋଟର ରହିଛନ୍ତି। ୧ ଲକ୍ଷ ୧୦ ହଜାର ୩୨୦ ଜଣ ପୁରୁଷ ଓ ୧ ଲକ୍ଷ ୧୧ ହଜାର ୬୮୭ ଜଣ ମହିଳା ଭୋଟର ରହିଛନ୍ତି।

ବିଜେଡି ପକ୍ଷରୁ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ସେ ମଧ୍ୟ ଆକ୍ଟିଭ ଅଛନ୍ତି । ତାଙ୍କ ବାପାଙ୍କ ସମର୍ଥକମାନେ ତାଙ୍କ ସହ ଅଛନ୍ତି । ଦୀପାଳିଙ୍କୁ ପ୍ରାର୍ଥୀ କରି ଦଳ ଅନୁକମ୍ପା ସାଙ୍ଗକୁ ମହିଳା କାର୍ଡ ବି ଖେଳିଛି। ଦୀପାଳି ମଧ୍ୟ ଯୁବ ଭୋଟରଙ୍କୁ ଏକତ୍ରିତ କରିବାରେ ଲାଗିପଡ଼ିଛନ୍ତି।  କଂଗ୍ରେସ ମଧ୍ୟ ଏହି ଆସନକୁ ନେଇ ଆଶାବାଦୀ ଅଛି । କଂଗ୍ରେସର ଗଡ଼ ଦିନେ ଏହି ଆସନ ଥିଲା ।  ପୂର୍ବତନ ବିଧାୟକ ସ୍ବର୍ଗତ ବୀରେନ୍‌ ପାଣ୍ଡେଙ୍କ ପୁଅ ତରୁଣଙ୍କୁ ପ୍ରାର୍ଥୀ କରି ଅନୁକମ୍ପା କାର୍ଡ ଖେଳିଛି। ସେପଟେ  ବିଜେପି ପ୍ରାର୍ଥୀ ଭାବେ ଟଙ୍କଧର ତ୍ରିପାଠୀ ଜିତିବା ପାଇଁ ମଇଦାନରେ ଅଛନ୍ତି । ସେ ମୋଦିଙ୍କ ନାମରେ ଜିତିବାକୁ ଆଶା ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ କାନୁନକୁ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି କହିଛନ୍ତି । ତେବେ ଯୁବ ଭୋଟର ଏବଂ ମହିଳା ଭୋଟର କେଉଁ ଦଳକୁ ବିଜୟୀ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।