Odisha ଝାରସୁଗୁଡ଼ାରେ ୭୮.୭% ମତଦାନ: ବିଜେଡି ନା ବିଜେପି! Last updated May 11, 2023 ଝାରସୁଗୁଡ଼ା : ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୋଟ୍ ୨୫୩ଟି ବୁଥରେ ୭୮.୭ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଇଭିଏମରେ ଭୋଟ ଅଛି । ଭୋଟିଂ ପରେ ସମସ୍ତ ବୁଥ୍ଗୁଡ଼ିକରୁ ଇଭିଏମ୍ ଓ ଭିଭିପିଏଟି ମେସିନ୍ଗୁଡ଼ିକୁ ସିଲ୍ କରି କଡ଼ା ସୁରକ୍ଷା ବଳୟରେ ଯାନ୍ତ୍ରିକ ବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗ୍ ରୁମ୍କୁ ଅଣାଯାଇଛି। ସେଠାରେ ୧ ପ୍ଲାଟୁନ୍ ପୁଲିସ ଫୋର୍ସଙ୍କ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗ୍ ରୁମ୍ରେ ଇଭିଏମ୍ ରଖାଯାଇଛି। ଭୋଟ ଇଭିଏମରେ ଥିବା ବେଳେ ନେତାଙ୍କ ଛାତି ଧଡ଼ପଡ଼ ହେଉଛି । ମୋଟାମୋଟି ଭାବେ ମତଦାନ ଶାନ୍ତିପୂର୍ଣ୍ଣ ଥିବା ସିଇଓ କହିଛନ୍ତି । ତେବେ ଗତକାଲି ଭୋଟ ବେଳେ ଅନେକ ବୁଥରେ ବିଜେପି -ବିଜେଡି କର୍ମୀଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ତେବେ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଥିଲେ ସାମାନ୍ୟ ହିଂସା ଦେଖାଦେଇଥିଲା। ସହରାଞ୍ଚଳରେ ରହିଥିବା ଗୁଜରାତିପଡ଼ା ନଜୁଲ ସରକାରୀ ହିନ୍ଦୀ ହାଇସ୍କୁଲ, ମନମୋହନ ୟୁପି ସ୍କୁଲ, ତାଲମାଲ ସ୍କୁଲ, ଏକାତାଲି ସ୍କୁଲ ପରିସରରେ ବିଜେପି- ବିଜେଡି କର୍ମୀଙ୍କ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା। ଅପରାହ୍ଣରେ ଲଇକେରା ଥାନା କାକମାଲରେ ଜଣେ ବିଜେପି କର୍ମୀଙ୍କୁ ପନିକିରେ ହାଣି ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି । ଲଇକେରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କିଛି ସ୍ଥାନରେ ଭିଡ ପାଇଁ ରାତି ୮ଟା ଯାଏ ଭୋଟିଂ ପ୍ରକ୍ରିୟା ଜାରି ରହିଥିଲା। Share