ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଘାରିଛି ଗିରଫ ଭୟ

କଟକ: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର  ହାଇକୋର୍ଟରେ କରିଛନ୍ତି ଆଗୁଆ ଜାମିନ ଆବେଦନ । ୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ୨୦୨୨ ଫେବୃଆରୀରେ ଜୟନାୟରାଣ ମିଶ୍ର ତତ୍କାଳୀନ ସମ୍ବଲପୁର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ୨୦୨୨ ଫେବୃଆରୀ ୧୫ ତାରିଖରେ ପୂର୍ବତନ ତହସିଲଦାର କ୍ଷେତରାଜପୁର ଥାନାରେ ଜୟନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ସେହିଭଳି ୨୦୨୩ରେ ଧନୁପାଲ୍ଲୀ ଥାନାର ପୂର୍ବତନ ଆଇଆଇସି ଅନୀତା ପ୍ରଧାନଙ୍କୁ ଆକ୍ରମଣ କରିବା ସହ ଧମକ ଦେଇଥିଲେ ଜୟନାରାୟଣ ।ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି । ଜଣେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟରେ ବାଧା ଦେବା ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣଙ୍କ ବିରୋଧରେ ଟାଉନ ଥାନାରେ ଗତ ଫେବ୍ରୁଆରୀରେ ମାମଲା ରୁଜୁ ହୋଇଥିଲା । ଏହି ଦୁଇଟି ମାମଲା ଏବେ ବି କୋର୍ଟରେ ବିଚରାଧିନ ଥିବା ବେଳେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ଓ ଧମକ ଦେବା ଅଭିଯୋଗରେ ଜୟନାରାୟଣ ଗିରଫ ହୋଇଯିବାର ଭୟ ରହିଛି । ଏହିଦୃଷ୍ଟିରୁ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ଜଣାପଡ଼ିଛି ।