ବିଜେପି ଫୋକସରେ କନ୍ଧମାଳ, ଜିତିବାର ମନ୍ତ୍ର ଦେଲେ ନଡ୍ଡା!

ଫୁଲବାଣୀ: 2024 ପାଇଁ ନିର୍ବାଚନ ବିଗୁଲ ବଜାଇଛି ବିଜେପି । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି କ୍ରମରେ ଓଡ଼ିଶା ଆସି ବାଣପୁର ଏବଂ ଫୁଲବାଣୀରେ ନେତା କର୍ମୀଙ୍କୁ ମନ୍ତ୍ର ଫୁଙ୍କିଛନ୍ତି । ଉତ୍ତର ପୂର୍ବ ଭାରତରେ  ବିଜେପି ଅନେକ ରାଜ୍ୟରେ ସରକାର ଗଠନ କରିଛି । ତେବେ ପୂର୍ବଭାରତର ପ୍ରମୁଖ ରାଜ୍ୟ ଓଡ଼ିଶାରେ ବିଜେପି ଏକାକି ଶାସନ କରିବା ପାଇଁ ସ୍ବପ୍ନ ଦେଖି ଆସୁଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ । ମୋଦି, ଶାହ, ନଡ୍ଡା ଅନେକ ଥର ଏହି ଓଡ଼ିଶା ମିଶନ କଥା କହିଛନ୍ତି । ଅନେକ ରଣନୀତି ହୋଇଛି  । କିନ୍ତୁ ନିର୍ବାଚନ ପରେ ସେ ସବୁ ବିଫଳ ହୋଇଥିବା ଦେଖାଯାଇଛି । ମିସନ 120 ବିଫଳ ହେବା ପରେ ବିଜେପି ଯେପରି ବିଜେଡି ପାଖରେ ତିନି ବର୍ଷ ହେଲା ଶରଣରେ ଥିଲା ତାକୁ ନେଇ ମଧ୍ୟ ଦଳର ଅନେକ କାର୍ଯ୍ୟକର୍ତା ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ପୁଣି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ‘ମିସନ୍-୨୪ର ଆହ୍ନାନ କର୍ମୀମାନଙ୍କ ଆଗରେ କହି ଲଢ଼ିବାକୁ କହିଛନ୍ତି ।  ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଓଡ଼ିଶା ଗସ୍ତକୁ ନେଇ ଅନେକ ଆଲୋଚନା ଚାଲିଥିଲା । ରାଜ୍ୟ ସରକାରଙ୍କ ବିରୋଧରେ କିଛି କହିବେ କି ନାହିଁ ତାହା ମଧ୍ୟ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା । 2009 ନିର୍ବାଚନ ପରଠୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପ୍ରସଙ୍ଗକୁ ବିଜେପି ଏକ ପ୍ରସଙ୍ଗ କରିଥିଲେ ମଧ୍ୟ ତାହା କାମ ଦେଇନାହିଁ । ଫୁଲବାଣୀ ବିଧାନସଭା ଆସନରେ ବିଜେପି ବିଜେଡିକୁ ହରାଇପାରୁନାହିଁ । ଏଥର ମଧ୍ୟ ଏହାକୁ ମାଧ୍ୟମ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ନଡ୍ଡାଙ୍କ ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମ ପରିଦର୍ଶନ ଏହା ହିଁ ସୂଚାଉଛି । କନ୍ଧମାଳ ଭୋଟ୍ ରାଜନୀତିରେ ବିଜେପି ବିଜେଡିକୁ ଟକ୍କର ଦେଇପାରୁନାହିଁ । ଗତ କିଛି ବର୍ଷ ଧରି ଏଠାରେ ମଧ୍ୟ ବିଜେଡିର ବିଜୟ ବାନା ଉଡାଉଛି । ଦଳ ର ଗୋଷ୍ଠୀ କନ୍ଦଳ ହିଁ ବିଜେପିକୁ ଖାଉଛି । ଏଠାରେ ହିନ୍ଦୁ ଭୋଟରଙ୍କୁ ଦଳ ନିଜ ପାଖକୁ ଆଣିପାରୁନାହିଁ । ଆଦିବାସୀ ଭୋଟର ଏବଂ ସଂଖ୍ୟାଲଘୁ ଭୋଟର ମଧ୍ୟ ବିଭାଜିତ ହୋଇ ପୂର୍ବରୁ କଂଗ୍ରେସକୁ ସମର୍ଥନ କରୁଥିବା ବେଳେ ଏବେ ବିଜେଡିକୁ ସମର୍ଥନ କରୁଛନ୍ତି । ଏଭଳି ସମୀକରଣ ପରେ ବିଜେପି କିପିରି କନ୍ଧମାଳ ଜିଲ୍ଲା ଏବଂ ଫୁଲବାଣୀ ଆସନରେ ବିଜେପିକୁ ଜିତାଇହେବ ସେନେଇ ମନ୍ତ୍ରୀ ଫୁଙ୍କିଛନ୍ତି ଜେ ପି ନଡ୍ଡା । ତେବେ ଜେପି ନଡ୍ଶାଙ୍କ ରଣନୀତିକୁ ଦଳ କେତେ କାମରେ ଲଗାଉଛି ତାହା ସମୟ କହିବ ।